ଆଜି ପବିତ୍ର ଦୋଳ ପୂର୍ଣ୍ଣିମା: କାହିଁକି ପାଳନ ହୁଏ ଏହି ପର୍ବ 

ଆଜି ପବିତ୍ର ଦୋଳ ପୂର୍ଣ୍ଣମୀ । ଦୋଳ ବେଦୀକୁ ବିମାନରେ ବିଜେ ହୋଇଛନ୍ତି ମହାପ୍ରଭୁ । ଫଗୁ ଦଶମୀରୁ ଦୋଳଯାତ୍ରା ଆରମ୍ଭ ହୋଇଥାଏ । ଫାଲ୍‍ଗୁନ ଶୁକ୍ଳପକ୍ଷ ଦଶମୀରୁ ଓଡ଼ିଶାରେ ଦୋଳ ପାର୍ବଣ ଆରମ୍ଭ ହୋଇଥାଏ। ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଦୋଳଗୋବିନ୍ଦଙ୍କୁ ବିମାନରେ ବସାଇ ଘରକୁ ଘର ବୁଲାଯାଏ। ଠାକୁର ସମସ୍ତଙ୍କ ଘରେ ଭୋଗ ଖାଆନ୍ତି।ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ମାଧୁର୍ଯ୍ୟକୁ ନେଇ ପାଳିତ ହୋଇଆସୁଥିବା ମହୋତ୍ସବଗୁଡ଼ିକ ମଧ୍ୟରେ ‘ଦୋଳଯାତ୍ରା ଓ ହୋଲି’ ଏକ ଶ୍ରେଷ୍ଠ ଗଣପର୍ବ। ଏହା ରାଧା-କୃଷ୍ଣ ଉପାସନାର ଏକ ଶ୍ରେଷ୍ଠ ପରମ୍ପରା ରୂପେ ଭାରତୀୟ ଜନଜୀବନରେ ଅପୂର୍ବ ମାଧୁର୍ଯ୍ୟର ବାର୍ତ୍ତା ପ୍ରଦାନ ପୂର୍ବକ ପ୍ରାଣେ ପ୍ରାଣେ ନବ ଉନ୍ମାଦନା ଭରିଦେବାରେ ବିଶେଷ ଭୂମିକା ନିର୍ବାହ କରିଛି।ଫାଲ୍‌ଗୁନ ମାସ ଶୁକ୍ଳପକ୍ଷ ଦଶମୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ଦୋଳ ବିମାନରେ ବସାଇ ଗ୍ରାମ ପରିକ୍ରମା କରାଯାଏ। ଦୋଳିରେ ଝୁଲୁଥିବା ଗୋବିନ୍ଦଙ୍କୁ ଦର୍ଶନ କଲେ ମନୁଷ୍ୟ ମୋକ୍ଷ ପ୍ରାପ୍ତି କରିଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି। ଦୋଳଗୋବିନ୍ଦଙ୍କୁ କଞ୍ଚା ଆମ୍ବ, ଗୁଡ଼, ଚଣା, ଅବିର, କ୍ଷୀର ଏବଂ ଅକ୍ଷତ ନୈବେଦ୍ୟ ରୂପରେ ଅର୍ପଣ କରାଯାଏ।ଦୋଳପୂର୍ଣ୍ଣିମାର ପର ଦିନ ‘ହୋଲି’ ପର୍ବ ଅନୁଷ୍ଠିତ ହୋଇଥାଏ। ରଙ୍ଗ ହିଁ ସୌନ୍ଦର୍ଯ୍ୟର ପ୍ରତୀକ। ଆଧ୍ୟାମିକ ଚିନ୍ତା ଚେତନାର ପରିପ୍ରକାଶ, କ୍ଷଣିକ ପାଇଁ ହେଉ ପଛେ ପ୍ରକୃତିର ଅନନ୍ତ ଅପୂର୍ବ ରୂପ ଛିଟାର ଅନୁଭବ, ସୁଖଦୁଃଖ ଭରା ଜୀବନର କିଛି ରଙ୍ଗ ସହିତ ନିଜେ ନିଜ ଭିତରେ ଟିକେ ହଜିଯିବା ପାଇଁ ଆସିଥାଏ ରଙ୍ଗର ପର୍ବ ହୋଲି।

ଅଧିକ ପଢନ୍ତୁ