ଆଜି ପବିତ୍ର ବ୍ୟଞ୍ଜନ ଦ୍ବାଦଶୀ ।ମାତା ମଠରେ ୮୭୫ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ

ଆଜି ପବିତ୍ର ବ୍ୟଞ୍ଜନ ଦ୍ବାଦଶୀ । ଦୀର୍ଘବର୍ଷ ଧରି ପୁରୀର ଗୌରବିହାର ବା ମାତା ମଠରେ ମାର୍ଗଶୀର ଶୁକ୍ଳ ଦ୍ୱାଦଶୀକୁ ବ୍ୟଞ୍ଜନ ଦ୍ୱାଦଶୀ ଭାବେ ପାଳନ କରାଯାଉଛି । ଦ୍ୱାପର ଯୁଗର ଲୋକକଥା ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ବ୍ୟଞ୍ଜନ ଦ୍ୱାଦଶୀକୁ ଭକ୍ତି ଓ ନିଷ୍ଠାର ସହ ପାଳନ କରାଯାଉଛି। ବିଶେଷକରି ଗୌଡ଼ୀୟ ବୈଷ୍ଣବଙ୍କ ଦ୍ୱାରା ପ୍ରତିବର୍ଷ ଏହି ଦିନରେ ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରାଯାଇଥାଏ। ପବିତ୍ର ବ୍ୟଞ୍ଜନ ଦ୍ୱାଦଶୀରେ ଶ୍ରୀରାଧାକୃଷ୍ଣଙ୍କ ଦର୍ଶନ କରିବା ସହ ବ୍ୟଞ୍ଜନ ସେବନ କରି ପରମ ତୃପ୍ତି ଲାଭ କରିଛନ୍ତି ଶହ ଶହ ଶ୍ରଦ୍ଧାଳୁ । ଏଥିପାଇଁ ମାତା ମଠରେ ଦିନ ତମାମ ଲାଗିଥିଲା ଗହଳି ।ଦ୍ୱାପର ଯୁଗରେ ମା’ ଯଶୋଦା ସ୍ନେହ, ଶ୍ରଦ୍ଧାର ସହ ଏହି ଦିନରେ ନାନାଦି ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ । ଏହି ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ବୈଷ୍ଣବ ଗୌଡ଼ୀୟମାନେ । ତେଣୁ ଆଜି ଶହେ କି ଦୁଇ ଶହ ପ୍ରକାର ନୁହେଁ ୮୭୫ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିଲା ମାତା ମଠରେ । ବର୍ଷ ତମାମ ଏହି ମଠର ପ୍ରାକୃତିକ ପରିବେଶ ଓ ଆଧ୍ୟାତ୍ମିକ କାରୁକାର୍ଯ୍ୟ ଶ୍ରୀକ୍ଷେତ୍ର ଆସୁଥିବା ବିଭିନ୍ନ ଭକ୍ତଙ୍କୁ ଆକୃଷ୍ଟ କରିଥାଏ । ମାର୍ଗଶୀର ଶୁକ୍ଳ ଦ୍ଵାଦଶୀର ପବିତ୍ର ତିଥିରେ କୃଷ୍ଣ ସମର୍ପିତ ନାନାଦି ବ୍ୟଞ୍ଜନକୁ ସେବନ କରିବାକୁ ଭିଡ ଲାଗି ରହେ।ଏହି ଆଶ୍ରମରେ ପ୍ରତିବର୍ଷ ୩୦ରୁ ଅଧିକ ଅନ୍ତେବାସୀ ଅନ୍ନବ୍ୟଞ୍ଜନ ପ୍ରସ୍ତୁତ କରି ଶ୍ରୀକୃଷ୍ଣଙ୍କୁ ଭୋଗ ଲଗାଇଥାନ୍ତି । ଏହା ମଧ୍ୟରେ ଥାଏ ୫୦ରୁ ଅଧିକ ପ୍ରକାରର ଅନ୍ନ, ୫୦ରୁ ଅଧିକ ପ୍ରକାରର ଡାଲି, ୧୦୦ରୁ ଅଧିକ ପ୍ରକାର ତରକାରୀ, ୫୦ରୁ ଅଧିକ ପ୍ରକାର ଭଜା ଓ ୧୦୦ରୁ ଅଧିକ ପ୍ରକାର ପିଠା ଓ ମିଠା ଇତ୍ୟାଦି ।

ଆଶ୍ରମବାସୀ ପରିବାପତ୍ର କଟାକଟି କରିବା ସହିତ ଆନୁଷଙ୍ଗିକ ପ୍ରସ୍ତୁତି ପରେ ଅପରାହ୍ଣ ୨ଟାରୁ ଭୋଗ ପ୍ରସ୍ତୁତି ଆରମ୍ଭ କରାଯାଇଥାଏ । ପରେ ପ୍ରସାଦକୁ ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରଯାଏ । ଏତେ ପ୍ରକାର ବ୍ୟଞ୍ଜନ ପରଷିବା ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ଖଲିପତ୍ର ବ୍ୟବହାର କରାଯାଇଥାଏ ।ବିଶ୍ୱାସ ରହିଛି ବାତ୍ସଲ୍ୟ ମମତାରେ ପଡି ଶ୍ରୀକୃଷ୍ଣ ଦୁର୍ବଳ ହୋଇଥିବାର ଅନୁଭବ କରିଥିଲେ ମା’ ଯଶୋଦା । ତେଣୁ ମା’ ଯଶୋଦା ଖାସ ସେଇଥିପାଇଁ ନିଜ ହାତରେ ନାନାଦି ସୁସ୍ୱାଦୁ ଖାଦ୍ୟ ରାନ୍ଧି ଶ୍ରୀକୃଷ୍ଣଙ୍କୁ କୋଳରେ ବସାଇ ଖୁଆଇ ଦେଇଥିଲେ । ଏବଂ ସେହି ବାତ୍ସଲ୍ୟ ମମତାର ସ୍ମୃତିରେ ଏହି ବ୍ୟଞ୍ଜନ ଦ୍ଵାଦଶୀ ପାଳିତ ହେଇ ଆସୁଛି ।

ଅଧିକ ପଢନ୍ତୁ