ଆଜି ପବିତ୍ର ରଥଯାତ୍ରା

ଆଜି ଶ୍ରୀଗୁଣ୍ଡିଚା ଯାତ୍ରା । ବଡ଼ଦେଉଳ ଛାଡ଼ି ବଡ଼ଦାଣ୍ଡକୁ ଆସୁଛନ୍ତି କାଳିଆ ସାଆନ୍ତେ । ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନାତ୍ମକ ଯାତ୍ରା । ସିଂହଦ୍ବାର ଚକଡ଼ାରେ ତିନିରଥ ବିଜେ । ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଯାତ୍ରାରେ ବାହାରି ପଡିବେ କାଳିଆ ସାଆନ୍ତେ । ନନ୍ଦିଘୋଷ, ଦର୍ପଦଳନ, ତାଳଧ୍ବଜ ରଥ ସବୁ ପ୍ରସ୍ତୁତ । ତିନି ରଥରେ ବିରାଜମାନ କରିବେ ଶ୍ରୀବିଗ୍ରହ ।ଏହି ମାନବୀୟ ଲୀଳା ଦେଖିବାକୁ ଅପେକ୍ଷା କରିଛି ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ। ଅଗଣିତ ଶ୍ରଦ୍ଧାଳୁଙ୍କ ଗହଣକୁ ଆସିବା ପାଇଁ ଅପେକ୍ଷା କରିଛନ୍ତି ପରଂବ୍ରହ୍ମ ।ପୁଷ୍ପ ରୂପକ ବର୍ଷା ମହାପ୍ରଭୁଙ୍କ ସ୍ବାଗତ ଜଣାଇବା ପାଇଁ ବର୍ଷୁଛି । ହଜାର ହଜାର ଭକ୍ତଙ୍କ ସମାଗମ ହେଲାଣି ପବିତ୍ର ବଡ ଦାଣ୍ଡରେ । ମହାପ୍ରଭୁଙ୍କ ରଥ ଟାଣିବାକୁ ଭକ୍ତ ମାନେ ଉତ୍କଣ୍ଠା ସହ ଅପେକ୍ଷା କରିଛନ୍ତି । ବଡଦାଣ୍ଡ ଭକ୍ତିମୟ ହୋଇ ଉଠିଛି । ଝାଞ୍ଜ, କୀର୍ତ୍ତନ, ଜୟ ଜଗନ୍ନାଥ ଧ୍ବନିରେ ବଡ ଦାଣ୍ଡ କମ୍ପୁଚି। ଓଡ଼ିଶୀ ନୃତ୍ୟ ଶିଳ୍ପୀ ମାନେ ମହାପ୍ରଭୁଙ୍କ ରଥ ଆଗରେ ନିଜର ନୃତ୍ୟ ପରିବେଷଣ କରି ନିଜକୁ ଧନ୍ୟ ମନେ କରୁଚନ୍ତି ।ଅପରାହ୍ନ ୪ଟାରେ ଆରମ୍ଭ ହେବ ରଥଟଣା ।

ଅଧିକ ପଢନ୍ତୁ

kc ads