ଆଜି ପ୍ରଥମାଷ୍ଟାମୀ

ଆଜି ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀ ତିଥି। ଏହାକୁ ପ୍ରଥମାଷ୍ଟମୀ ତଥା ପୋଢ଼ୁଆଁ ଅଷ୍ଟମୀ ବୋଲି କୁହାଯାଏ। ଉତ୍କଳର ପ୍ରତି ଓଡ଼ିଆ ଘରେ ଜ୍ୟେଷ୍ଠ ମାନଙ୍କୁ ପଢ଼ୁଆଁ କରାଯାଇଥାଏ। ଏହି ଅବସରରେ ଘରେ ଘରେ ପିଠାପଣା ହେବ। ଷଠୀଦେବୀଙ୍କ ନିକଟରେ ବନ୍ଦାପନା ସହ ପୂଜା ବି କରାଯିବ। ଗୁରୁତ୍ୱପୂର୍ଣ୍ଣ ହେଉଛି, ପ୍ରଥମାଷ୍ଟମୀରେ ହେଉଥିବା ଏଣ୍ଡୁରୀ ପିଠା ହଳଦୀପତ୍ରରେ କରାଯାଏ । ପୋରୁହାଁ ପିଲାମାନଙ୍କୁ ଏହି ପର୍ବ ପାଇଁ ମାମୁଘରୁ ନୂଆ ପୋଷାକ ମିଳିଥାଏ । ମାମୁଘରେ ଭଣଜା ପୁଅଠୁ ବି ଅଧିକ ବୋଲି ବିବେଚନା କରାଯାଉଥିବାରୁ ମାମୁଘରୁ ନୂଆ ପୋଷାକ ମିଳିବା ପ୍ରଥା ଚଳିଆସୁଛି । ଏଣ୍ଡୁରିପିଠା ପ୍ରଥମାଷ୍ଟମୀର ବିଶେଷତ୍ବ। ଛେନା, ଗୁଡ଼ ଓ ନଡ଼ିଆପୁର ଏବଂ ଉଆପକ୍ଷିଆ ଚାଉଳ ଓ ବିରିରେ ଏଣ୍ଡୁରି ପିଠା ପ୍ରସ୍ତୁତ କରାଯାଏ। କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀ ପତ୍ରର ବ୍ୟବହାର ପ୍ରସିଦ୍ଧ। ଏଣୁ ଏହି ପିଠା ଅତ୍ୟନ୍ତ ସୁସ୍ବାଦୁ, ରୁଚିକର ଓ ସୁବାସଯୁକ୍ତ ହୋଇଥାଏ। ଗୋଟିଏ ହାଣ୍ଡିର ମୁହଁରେ କନା ବାନ୍ଧି ସେହି ହାଣ୍ଡିକୁ ଚୁଲି ଉପରେ ରଖଯାଏ। ଏହାକୁ ‘ଅଥାରହାଣ୍ଡି’ କୁହାଯାଏ। ଏହି ଅଥାରହାଣ୍ଡି ଉପରେ ହଳଦୀପତ୍ରରେ ପୁରମିଶା ‘ଆଣ’ ଲଦି ହାଣ୍ଡି ଉପରେ ପଲମ ବା ଘୋଡ଼ଣି ଢାଙ୍କି ଦିଆଯାଏ। କିଛି ସମୟ ପରେ ପିଠା ସିଝିଗଲେ, ତାକୁ କାଢ଼ି ଅଣାଯାଏ ଏବଂ ଏହା ହିଁ ଏଣ୍ଡୁରି ପିଠା। ପ୍ରଥମାଷ୍ଟମୀର ଅନ୍ୟ ନାମ ‘ସୌଭାଗିନୀ ଅଷ୍ଟମୀ’। ପୂର୍ବେ ଏହିଦିନ ସୌଭାଗିନୀ ଦେବୀଙ୍କର ପୂଜା ସମ୍ଭବତଃ ପ୍ରଚଳିତ ଥିଲା। ଧନୀ-ଗରିବ ନିର୍ବିଶେଷରେ ପ୍ରଥମାଷ୍ଟମୀ ପର୍ବଟି ଓଡ଼ିଶାର ଘରେଘରେ ପାଳିତ ହୋଇଥାଏ।

ଅଧିକ ପଢନ୍ତୁ

Odisha Darpan Digital