ଆଜି ବଉଳ ଅମାବାସ୍ୟା, ଜାଣିବା ଏହାର ବିଧି ଓ ପରମ୍ପରା ବିଷୟରେ

ଆମେ ଅନେକ ସମୟରେ ବୃକ୍ଷକୁ ବିଭିନ୍ନ ଠାକୁରଙ୍କ ପ୍ରତୀକ ଭାବରେ ପୂଜା କରିଥାଉ । ଏହି ପୂଜା ପାର୍ବଣ ମଧ୍ୟରେ ଏକ ପରମ୍ପରା ହେଉଛି ବଉଳ ଅମାବାସ୍ୟା । ଏଥିପାଇଁ ବେଶ ଉତ୍ସବ ମୁଖର ହୋଇଥାଏ ପୁରପଲ୍ଲୀ । ଏହି ପର୍ବରେ ଆମ୍ବ ଗଛ ମୂଳକୁ ଶୁଦ୍ଧ ପୂତ ଭାବରେ ଲିପା ପୋଛା କରିଥାନ୍ତି ମହିଳାମାନେ । ଗଛକୁ ବିଭିନ୍ନ ଫୁଲରେ ସଜାଇ ପୂଜା ପାଇଁ ପ୍ରସ୍ତୁତି କରନ୍ତି । ବିଭିନ୍ନ ପ୍ରକାର ପିଠା କରି ଭୋଗ ଲଗାନ୍ତି ମହିଳାମାନେ । ଆମର ପର୍ବପର୍ବାଣିଗୁଡ଼ିକ ବିଜ୍ଞାନସମ୍ମତ ଓ ପରିବେଶ ସୁରକ୍ଷାର ବାର୍ତ୍ତାବହ। ସେଇ ସୂତ୍ରରେ ବକୁଳ ଅମାବାସ୍ୟା ମଧ୍ୟ ଆମକୁ ଏହି ସମୟରେ ଫଳ ଦେଉଥିବା ବୃକ୍ଷର ମହତ୍ବ ବୁଝାଇବାକୁ ଚେଷ୍ଟା କରେ। ଆମ୍ବ, ପଣସ ଇତ୍ୟାଦି ଗଛରେ ଏହି ସମୟରେ ବଉଳ ହୁଏ, ତେଣୁ ଏହି ସବୁ ଫଳନ୍ତି ଗଛର ସୁରକ୍ଷା ଆବଶ୍ୟକ। ଠାକୁରଙ୍କୁ ବଉଳ ଲାଗି କଲେ ଭଲ ଫଳ ହୁଏ ବୋଲି ବିଶ୍ବାସ ଅଛି। ତା’ ସହ ଠାକୁରଙ୍କ ପାଖରେ ବଉଳ ଟିକିଏ ଲାଗି କରି ତାକୁ ଆମେ ପାଇଲେ, ତା’ର ଔଷଧୀୟ ଗୁଣ ଆମ ଶରୀରକୁ ଯାଇ ରୋଗ ପ୍ରତିରୋଧକ ଭାବେ କାର୍ଯ୍ୟ କରେ।ଏହି ବଉଳ ଅମାବାସ୍ୟାର ମୁଖ୍ୟ ଭୋଗ ହେଉଛି ଗଇଁଠା ପିଠା । ଯାହାକୁ ପ୍ରସ୍ତୁତ କରିବାରେ ଲାଗି ପଡ଼ିଥାନ୍ତି ଘରର ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ । ମାଟି ଚୁଲିରେ ପିଠା ପ୍ରସ୍ତୁତ କରି ସଂଧ୍ୟାରେ ପିଠାକୁ ଧରି ପହଁଚି ଯାଆନ୍ତି ଆମ୍ବ ଗଛ ନିକଟରେ । ସେଠାରେ ପୂଜାର୍ଚ୍ଚନା କରାଯାଇଥାଏ ଆମ୍ବ ଗଛକୁ । ଧୂପ ଦୀପ ନୈବେଦ୍ୟ ଦେଇ ହୋଇଥାଏ ପୂଜାର୍ଚ୍ଚନା ।

ଅଧିକ ପଢନ୍ତୁ