ବୁଧବାର ବଲାଙ୍ଗିର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଲାଙ୍ଗିରବାସୀଙ୍କୁ ଦେବେ ନୂଆବର୍ଷ ଭେଟି । ଲୋୟର ସୁକତେଲ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ୨ ହଜାର ୭୨୩କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଲୋୟର ସୁକତେଲ ପ୍ରକଳ୍ପ ସହ ୨୫ଶହ କୋଟି ଟଙ୍କାର ଅନ୍ୟ ପ୍ରକଳ୍ପ ଗୁଡ଼ିକର ଉଦଘାଟନ ଓ ଶିଳାନ୍ୟାସ କରିବେ ।୫ହଜାର ୨୮୪ କିମି ବିଶିଷ୍ଟ ଦୀର୍ଘ ଜଳସେଚନ ବ୍ୟବସ୍ଥା ପ୍ରସ୍ତୁତ ହୋଇଛି। ପ୍ରକଳ୍ପ ଦ୍ବାରା ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ୨୦୬ଟି ଗାଁର ୮୦ ହଜାର କୃଷକ ଉପକୃତ ହେବେ। ଭୂତଳ ପାଇପ ଯୋଗେ ଜଳସେଚନ ବ୍ୟବସ୍ଥା କରାଯାଉଛି। ପ୍ରକଳ୍ପରୁ ପ୍ରାୟ ଲକ୍ଷେ ଏକର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ବଲାଙ୍ଗୀର ଜିଲ୍ଲାର ୨ଟି ସହରାଞ୍ଚଳର ୭୦ ହଜାର ଲୋକଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା କରାଯାଉଛି। ଡ୍ୟାମର ଜଳଧାରଣ କ୍ଷମତା ରହିଛି ୩୨୦.୨୮ ଲକ୍ଷ କ୍ୟୁବିକ ମିଟର।
ତେବେ ୧୯୯୯ ମସିହାରୁ ଲୋୟରସୁକତେଲ ପ୍ରକଳ୍ପକୁ ଆଶା କରି ରହିଥିଲେ ଲୋକେ । ବିସ୍ଥାପନ ସମସ୍ୟାକୁ ନେଇ ୨୦୦୩ରେ ପ୍ରକଳ୍ପ କାମ ବନ୍ଦ ହୋଇଥିଲା । ପୁଣି ୨୦୧୩ରେ କାମ ଆରମ୍ଭ ହୋଇ ଥିବା ବେଳେ ନିକଟରେ 5T ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ବଲାଙ୍ଗିର ଗସ୍ତ କରି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ସହ କାର୍ଯ୍ୟ ତ୍ବାରାନ୍ବିତ କରିଥିଲେ । ଯାହା ଫଳରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ସହ ଏହାର ଉଦଘାଟନ ହେବାକୁ ଯାଉଛି ।