ଆଜି ବିଜୟ ଦିବସ ; ଏହା ଭାରତୀୟ ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ

ଡିସେମ୍ବର ୧୬ ତାରିଖ କେବଳ ଏକ ତାରିଖ ନୁହେଁ, ଏହା ଭାରତୀୟ ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଆଜି ହେଉଛି ‘ବିଜୟ ଦିବସ’ । ବିଜୟ ଦିବସ ଭାରତର ବୀରତ୍ୱ, ସମର୍ପଣ ଏବଂ ସାମରିକ ଦକ୍ଷତାର ପ୍ରତୀକ। ଡିସେମ୍ବର ୧୬, ୧୯୭୧ ରେ, ପାକିସ୍ତାନୀ ସେନା ଭାରତୀୟ ସେନା ଏବଂ ମୁକ୍ତି ବାହିନୀ (ବାଂଲାଦେଶୀ ସ୍ୱାଧୀନତା ସଂଗ୍ରାମୀ) ନିକଟରେ ଆତ୍ମସମର୍ପଣ କରିଥିଲେ ।

ବିଶ୍ୱ ଏକ ନୂତନ ରାଷ୍ଟ୍ର, ବାଂଲାଦେଶର ଜନ୍ମ ଦେଖିଥିଲା । ଏହି ବିଜୟ କେବଳ ଏକ ଭୂରାଜନୈତିକ ସଫଳତା ନୁହେଁ, ବରଂ ମାନବୀୟ ମୂଲ୍ୟବୋଧ, ସ୍ୱାଧୀନତା ଏବଂ ନ୍ୟାୟର ବିଜୟ ମଧ୍ୟ ଥିଲା । ଏହି ଐତିହାସିକ ଯୁଦ୍ଧରେ, ଭାରତୀୟ ସେନା ଆଧୁନିକ ଅସ୍ତ୍ରଶସ୍ତ୍ର ସହିତ ଦକ୍ଷ ରଣନୀତି ପ୍ରଦର୍ଶନ କରିଥିଲେ । ହଜାର ହଜାର ଭାରତୀୟ ସୈନିକ ସର୍ବୋଚ୍ଚ ବଳିଦାନ ଦେଇଥିଲେ।୧୯୭୧ ମସିହାରେ ହୋଇଥିବା ଏହି ଯୁଦ୍ଧ ଫଳରେ ବିଶ୍ୱ ମାନଚିତ୍ରରେ ପୂର୍ବ ପାକିସ୍ତାନ ଅଲଗା ହୋଇ ‘ବାଂଲାଦେଶ’ ନାମରେ ଏକ ନୂତନ ରାଷ୍ଟ୍ରର ଜନ୍ମ ହୋଇଥିଲା । ସେତେବେଳେ ପାକିସ୍ତାନୀ ସେନାର ନେତୃତ୍ୱ ନେଉଥିବା ଲେଫ୍ଟନାଣ୍ଟ ଜେନେରାଲ ଅମୀର ଅବଦୁଲ୍ଲା ଖାଁ ନିୟାଜୀ ଭାରତୀୟ ସେନା ଆଗରେ ମୁଣ୍ଡ ନୁଆଁଇ ନିଜର ହତିଆର ତଳେ ପକାଇ ଦେଇଥିଲେ । ଆଜିର ଏହି ଫଟୋ ସେହି ଗୌରବମୟ ଇତିହାସକୁ ପୁଣି ଥରେ ମନେ ପକାଇ ଦେଉଛି ଯେ ଯେତେବେଳେ ଭାରତୀୟ ସେନା ରଣକ୍ଷେତ୍ରକୁ ଓହ୍ଲାନ୍ତି, ଶତ୍ରୁ ପକ୍ଷର ସେନା ଭୟରେ ଥରହର ହୁଅନ୍ତି ।

ଅଧିକ ପଢନ୍ତୁ