ଶାଳପତ୍ର ଦନାରେ ୫ଟି ଦହିବରା ସାଙ୍ଗକୁ ଦି’ ଚାମଚ୍ ଆଳୁଦମ୍, ଘୁଗୁନି । ଉପରେ ଛଣା ସେଉ, କଟା ପିଆଜ ଓ କିଛି ଧନିଆପତ୍ର । କଟକ ମାନେ ଦହିବରା ଆଉ ଦହିବରା ମାନେ ଭାଇଚାରା , ଆଉ ଭାଇଚାରା କହିଲେ ସିଲଭରସିଟିର ଶୋଭାର ବଢାଏ |ତେବେ ବର୍ତ୍ତମାନର ବଜାର ଭାଷାରେ କଟକର ଏହି ପ୍ରସିଦ୍ଧ ‘ଷ୍ଟ୍ରିଟ୍ଫୁଡ୍’ର ଆର୍ଥିକ କାରବାର କେତେ ତାହା ହୁଏତ ଅନେକ ହିସାବ କରିନଥିବେ । ଆଖି ଖୋସି ହୋଇଗଲା ଭଳି ହିସାବ ହେଉଛି କେବଳ କଟକ ସହରରେ ବାର୍ଷିକ ୨୦ କୋଟି ଟଙ୍କାର ଦହିବରା-ଆଳୁଦମ୍ କାରବାର ହୁଏ । ଏ ସହରରେ ଏମିତି ଦହିବରା ବ୍ୟବସାୟୀ ରହିଛନ୍ତି ଯେଉଁମାନଙ୍କ ମାସିକ ଆୟ ୩ ଲକ୍ଷରୁ ଅଧିକ । ପୁଣି ସେମାନଙ୍କ ବେପାର ସମୟ ମାତ୍ର ଦୁଇରୁ ତିନି ଘଣ୍ଟା ।
କଟକର ଗଳି କନ୍ଦିରୁ ବାହାରି ସାରା ବିଶ୍ୱସ୍ତରରେ ପ୍ରତିଟି ଓଡିଆଙ୍କୁ ଗର୍ବିତ କରିଛି ଦହିବରା ଆଳୁଦମ । ବିଦେଶରେ ରହିଲେ ବି ଓଡିଆ ଲୋକ ଦହିବରା ଆଳୁଦମର ସ୍ୱାଦକୁ କେବେ ଭୁଲି ନାହାନ୍ତି । କଟକର ଦହିବରା ଆଳୁଦମ ବିଶ୍ୱ ପ୍ରସିଦ୍ଧ । କଟକ ସହରରେ ଦହିବରା-ଆଳୁଦମ୍ ପ୍ରସ୍ତୁତିର ଉତ୍ପତ୍ତି କେବେ ତାର କିଛି ଲିଖିତ ଇତିହାସ ନାହିଁ । କିନ୍ତୁ ବିଡ଼ାନାସୀରୁ ଏହି ସ୍ୱାଦିଷ୍ଟ ଖାଦ୍ୟର ସୃଷ୍ଟି ବୋଲି ଅନେକଙ୍କ ମତ । କାଳକ୍ରମେ ଏହା ଅନ୍ୟ ସାହିବସ୍ତିକୁ ପ୍ରସରିଥିଲା । ଯଦିଓ ଏବେ ସାରା ଓଡ଼ିଶାରେ ଦହିବରା ଆଳୁଦମ୍ ବିକ୍ରି ହେଉଛି, କିନ୍ତୁ ଅସଲ ଦହିବରା ଖାଇବାକୁ ସମସ୍ତେ କଟକ ମୁହାଁ ହୁଅନ୍ତି ।