ଆଜି ବିଶ୍ଵ ଅଙ୍ଗଦାନ ଦିବସ।

ଶରୀର ଦାନ ପ୍ରତି ଧୀରେ ଧୀରେ ଜନସାଧାରଣ ସଚେତନ ହେଉଛନ୍ତି। ଶରୀରଦାନକୁ ସରକାରୀ ସ୍ବୀକୃତି ମିଳିବା ପରେ ବହୁ ସଚେତନ ନାଗରିକ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ମୃତ୍ୟୁ ପରେ ଶରୀର ଦାନ କରିବାକୁ ଘୋଷଣାନାମା ଦାଖଲ କରୁଛନ୍ତି।ପ୍ରତିବର୍ଷ ଅଗଷ୍ଟ ୧୩ ତାରିଖ ଅର୍ଥାତ୍ ଆଜିର ଦିନକୁ ବିଶ୍ଵ ଅଙ୍ଗଦାନ ଦିବସ ଭାବେ ପାଳନ କରାଯାଏ। ଲୋକଙ୍କୁ ମୃତ୍ୟୁ ପରେ ଅଙ୍ଗଦାନ ପାଇଁ ଉତ୍ସାହିତ କରିବା ଏହି ଦିବସର ଏକମାତ୍ର ଉଦ୍ଦେଶ୍ୟ। ଚଳିତ ବର୍ଷ ବିଶ୍ଵ ଅଙ୍ଗଦାନ ଦିବସର ସ୍ଲୋଗାନ ହେଉଛି ଆଜି କାହା ମୁହଁରେ ହସ ଦେଖିବାର କାରଣ ହୁଅ। ଓଡ଼ିଶା ଆନାଟୋମି ବିଲ୍‌-୨୦୧୨ ପାସ୍‌ ହେବା ପରେ ଶରୀରଦାନକୁ ଆଇଗତ ସ୍ବୀକୃତି ମିଳିଛି।

୨୦୧୩ ଫେବ୍ରୁଆରି ମାସରେ ମେଡିକାଲ୍‌ ସାଇନ୍ସ ଓ ଗବେଷଣା ଦିଗରେ ଓଡ଼ିଶା ସରକାର ଏହି ଐତିହାସିକ ପଦକ୍ଷେପ ନେଇଥିଲେ। ସର୍ବସମ୍ମତି କ୍ରମେ ଓଡ଼ିଶା ବିଧାନସଭାରେ ଗୃହୀତ ହୋଇଥିଲା ଓଡ଼ିଶା ଆନାଟୋମି ବିଲ୍‌-୨୦୧୨। ଯଦ୍ବାରା ଯେ କୌଣସି ବ୍ୟକ୍ତି ମୃତ୍ୟୁ ପରେ ପରିବାରବର୍ଗଙ୍କ ଜରିଆରେ ତାଙ୍କ ଶରୀର ଗବେଷଣା ପାଇଁ ସରକାରୀ ମେଡିକାଲକୁ ଦାନ ଆକାରରେ ଦେବେ ବୋଲି ଲିଖିତ ଘୋଷଣା କରିପାରିବେ।ସେପଟେ ଆଜି ବିଶ୍ଵ ଅଙ୍ଗଦାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଙ୍ଗଦାନ କରି ସମାଜ ପାଇଁ ଉଦାହରଣ ସାଜିଥିବା ମହାନ ବ୍ୟକ୍ତିତ୍ୱଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏବଂ ସମସ୍ତେ ମିଶି ଅଙ୍ଗଦାନ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଛନ୍ତି।

ଅଧିକ ପଢନ୍ତୁ