ବର୍ଷକୁ ବର୍ଷ ରାଜ୍ୟରେ ଏଡ୍ସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୫ ବର୍ଷର ତଥ୍ୟ ଅନୁସାରେ, ପ୍ରତିବର୍ଷ ତିନି ହଜାରରୁ ଅଧିକ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି। ଓଡ଼ିଶାରେ ଏଚ୍ଆଇଭି-ଏଡ୍ସ ସ୍ଥିତି ସମ୍ବେଦନଶୀଳ ରହିଛି । ଏଚ୍ଆଇଭିକୁ ନିୟନ୍ତ୍ରଣ କରିବା ଲାଗି ବିଭିନ୍ନ ସ୍ତରରେ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ପ୍ରତିବର୍ଷ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି ।ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡ୍ସ ଦିବସ ଭାବେ ପାଳନ କରାଯାଉଛି । ପ୍ରତିବର୍ଷ ଏହି ଦିବସର ବାର୍ତ୍ତା ଭିନ୍ନ ଭିନ୍ନ ହୋଇଥାଏ । ଚଳିତ ବର୍ଷ ଏହାର ବାର୍ତ୍ତା ରହିଛି ‘Overcoming disruption, transforming the AIDS response’ ,। ତେବେ ଦେଶର ଟପ୍ ଟେନ୍ ତାଲିକାରେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ରହିଛି ।ଚଳିତବର୍ଷ ରାଜ୍ୟବ୍ୟାପୀ ୧୪ ଲକ୍ଷ ୧୩ ହଜାର ୬୧୬ ଜଣଙ୍କର ପରୀକ୍ଷା ହୋଇଥିଲା । ଅକ୍ଟୋବର ମାସ ପର୍ଯ୍ୟନ୍ତ ୨୪୬୨ ଏଚ୍ଆଇଭି ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ଗଞ୍ଜାମରୁ ସର୍ବାଧିକ ୩୫୮, ଖୋର୍ଦ୍ଧାରୁ ୩୩୮, କଟକରୁ ୨୬୧, ସମ୍ବଲପୁରରୁ ୧୯୫, ବଲାଙ୍ଗୀରରୁ ୧୧୦ ଓ ସୁନ୍ଦରଗଡ଼ରୁ ୧୨୧ ଜଣ ଆକ୍ରାନ୍ତ ବାହାରିଛନ୍ତି । ବୌଦ୍ଧ ଜିଲ୍ଲାରେ ମାତ୍ର ୩ ଜଣ ଚିହ୍ନଟ ହୋଇଛନ୍ତି ।ସର୍ବପ୍ରଥମେ ଏଡ୍ସ ଦିବସକୁ ବିଶ୍ୱ ସ୍ତରରେ ଆରମ୍ଭ କରିଥିଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ର ଜେମ୍ସ ଡବ୍ଲୁ ୱିନ୍ ଓ ଥମ୍ସ ନେଦର ନାଁରେ ଦୁଇ ଜଣ ଅଧିକାରୀ । ଏହାକୁ ପ୍ରଥମେ ୧୯୮୮ ରେ ଆରମ୍ଭ କରାଯାଇଥିଲା । ପ୍ରାରମ୍ଭରେ ଏହାକୁ ମୁଖ୍ୟତଃ ଯୁବଗୋଷ୍ଠୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିଲେ ବି ପରେ ଏହାକୁ ସବୁ ବର୍ଗଙ୍କୁ ଫୋକସ୍ କରି ଏହି ଅଭିଯାନ ଜାରି ରହିଥିଲା ।
