ଘର ଖୋଜୁଛି ଘରଚଟିଆ । ଗାଁର ପରିବର୍ତ୍ତିତ କଂକ୍ରିଟ ରୂପରେ ଲୋପ ପାଇଗଲେଣି ବିଶ୍ୱର ନିଆରା ଚଢେଇ ଘରଚଟିଆ । ଏମାନଙ୍କର ସୁରକ୍ଷା ପାଇଁ ୨୦୧୦ ମସିହାରୁ ପ୍ରତିବର୍ଷ ମାର୍ଚ୍ଚ ୨୦ରେ ବିଶ୍ୱ ଘର ଚଟିଆ ଦିବସ ପାଳନ କରାଯାଉଛି । ଘରଚଟିଆଙ୍କର କିଚିରିମିଚିରି କଳରବ ଆଉ କାନରେ ପଡୁନାହିଁ। ପ୍ରତିକୂଳ ପରିବେଶ, ଜଙ୍ଗଲ ହ୍ରାସ, ଚାଳଘରର ଦ୍ରୁତ ହ୍ରାସ, କ୍ଷେତରେ ରାସାୟନିକ ସାର ବ୍ୟବହାର, ଅସଂଖ୍ୟ ଗାଡ଼ିର ହର୍ନ ଓ ଧୂଆଁ ମୋବାଇଲ୍ ଟାୱାରରୁ ଚୁମ୍ବକୀୟ ବିକିରଣ ଯୋଗୁଁ ଏମାନଙ୍କ ସଂଖ୍ୟାରେ ଦ୍ରୁତ ହ୍ରାସ ଘଟୁଛି। କଳନା କରାଯାଇଛି ଯେ ଗତ ୫୦-୬୦ ବର୍ଷ ଭିତରେ ଘରଚଟିଆଙ୍କ ସଂଖ୍ୟା ବେଶ୍ କମିଛି, ମାତ୍ର ୧୦% ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି। ପୋକଜୋକ ଖାଇ ପ୍ରକୃତିର ସୌନ୍ଦର୍ଯ୍ୟତାକୁ ଦୁଇଗୁଣ କରୁଥିବା ଘରଚଟିଆ ଏବେ ନିଜେ ଘର ଖୋଜୁଛି ।ପରିବେଶ ସୁନ୍ଦରତାର ସାରଥୀ ସାଜିଥିବା ଏହି ପକ୍ଷୀ ଏବେ ବିଲୁପ୍ତ ପ୍ରାୟ । କିନ୍ତୁ ଏବେ ସହରୀ ରାଇଜରେ ଅନେକ ପ୍ରକୃତୀ ଓ ପକ୍ଷୀ ପ୍ରେମୀ ନିଜ ଘରେ ଘର ଚଟିଆଙ୍କ ପାଇଁ ବାସୋପଯୋଗୀ ବ୍ୟବସ୍ଥା କରି ସେମାନଙ୍କୁ ରଖୁଥିବା ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର କାନପୁରରେ କିଛି ପକ୍ଷୀ ପ୍ରେମୀ ଘର ଚଟିଆଙ୍କ ପାଇଁ ଘର କରି ରଖିଥିବା ଦେଖିବାକୁ ମିଳିଛି । ଗାଁରେ ଥିବା ଚାଳିଆ ଘରେ ଘରଚଟିଆ ବାସ କରି ରହୁଥିଲେ। ବର୍ତ୍ତମାନ ଗାଁ ଗହଳିରେ ପ୍ରାୟ ଚାଳିଆ ଘର ନଥିବା ଯୋଗୁଁ ଏହି ପକ୍ଷୀ ଆଉ ଦେଖା ଯାଉନାହାନ୍ତି। ଏହା ମଧ୍ୟ ଘରଚଟିଆ ବିଲୁପ୍ତ ହେବାର ଏକ ମୁଖ୍ୟ କାରଣ ବୋଲି କୁହାଯାଇପାରେ। ପ୍ରାୟ ଚାଳଘର ପକ୍କାଘରରେ ପରିବର୍ତ୍ତନ ହେବା ପରେ ଘରଚଟିଆଙ୍କ ସଂଖ୍ୟା କମିଯାଉଛି।
