ମକରଠାରୁ ଦିନ ହୁଏ ବକର। ଅର୍ଥାତ ଏହି ତିଥି ଠାରୁ ଦିନ କ୍ରମଶଃ ବଡ଼ ହୁଏ। ମକରଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଯାଉଥିବାରୁ ଖରା ଧୀରେଧୀରେ ପ୍ରଖର ହୁଏ। ସୂର୍ଯ୍ୟ ଉତ୍ତର ଦିଗକୁ ଯାତ୍ରା କରି ଛଅ ମାସ ଅବସ୍ଥାନ କରୁଥିବାରୁ ବିବାହ, ବ୍ରତ, ଯଜ୍ଞାନୁଷ୍ଠାନ, ଗୃହ, ଦେବାଳୟ ପ୍ରତିଷ୍ଠା ଆଦି ସମସ୍ତ ଶୁଭକର୍ମ ଏହି ସମୟରେ ଅନୁଷ୍ଠିତ ହୋଇଥାଏ। ଖାଲି ସେତିକି ନୁହେଁ, ମକର ସଂକ୍ରାନ୍ତି ଓଡ଼ିଆମାନଙ୍କ ପାଇଁ ବନ୍ଧୁତ୍ବର ଦିନ। ଏହି ଦିନ ପରସ୍ପରକୁ ‘ମକର ଚକଟା’ ଖୁଆଇ, ମକର ବସି ସମ୍ପର୍କର ସେତୁ ମଜବୁତ କରନ୍ତି ଆମ କିଶୋର-କିଶୋରୀ ଓ ତରୁଣ ତରୁଣୀ। ମକର ରାଶିର ଅଧିପତି ହେଉଛନ୍ତି ଶନିଦେବ। ସେ ସୂର୍ଯ୍ୟଙ୍କର ପୁତ୍ର ଭାବରେ କଳ୍ପିତ। ଏହିଦିନ ଶନିଦେବଙ୍କୁ ପ୍ରସନ୍ନ କରିବାକୁ ତିଳଜଳ ବା ରାଶି ପଡ଼ିଥିବା ପାଣିରେ ସ୍ନାନ କରି କଳାବସ୍ତ୍ର ପିନ୍ଧନ୍ତି ଏବଂ ଅନ୍ନ, ବସ୍ତ୍ର, ଘୃତ, କମ୍ବଳ ଇତ୍ୟାଦି ଦାନ କରନ୍ତି। ଏପରି କଲେ ଦଶଗୁଣା ଅଧିକ ଫଳ ମିଳେ ବୋଲି କଥିତ ଅଛି।ଭାରତର ବିଭିନ୍ନ ରାଜ୍ୟରେ ଏହି ପର୍ବଟିକୁ ଭିନ୍ନ ଭିନ୍ନ ନାମ ଦିଆଯାଇଛି। ଜାମ୍ମୁରେ ଉତ୍ତରେନ ବା ମାଘୀ ସଙ୍ଗରାଦ କୁହାଯାଏ। ପଞ୍ଜାବରେ ଲୋହଡ଼ି, ଗୁଜୁରାଟ ଓ ରାଜସ୍ଥାନରେ ଉତ୍ତରାୟଣ, ଡୋଗ୍ରୀ ଏବଂ ହିମାଚଳପ୍ରଦେଶରେ ଖିଚ୍ଡ଼ି ପର୍ବ, ଉତ୍ତରାଖଣ୍ଡରେ ଘୁଘୁତୀୟା ପର୍ବ, ଆସାମରେ ମାଘ ବିହୁ ବା ଭୋଗାଲୀ ବିହୁ, ବିହାରରେ ଦହିଚୁରା, ମିଥିଳାରେ ତିଲସଂକ୍ରାନ୍ତି, ପଶ୍ଚିମବଙ୍ଗରେ ଗଙ୍ଗାସାଗର ମେଳା (ଏହିଦିନ ଗଙ୍ଗା ଅବତରଣ ହୋଇଥିଲେ ବୋଲି ବିଶ୍ୱାସ ରହିଛି), ଉତ୍ତରପ୍ରଦେଶର ପ୍ରୟାଗରାଜରେ ଏହିଦିନ ଠାରୁ ମାଘମେଳା ଆରମ୍ଭ ହୁଏ। ତାମିଲନାଡୁରେ ପୋଙ୍ଗଲ, କର୍ଣ୍ଣାଟକରେ ସୁଗଗୀ ହବ୍ବା, କେରଳ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ସଂକ୍ରାନ୍ତି ତଥା ଆମ ଓଡ଼ିଶାରେ ‘ମକର ସଂକ୍ରାନ୍ତି’ ଭାବରେ ପ୍ରସିଦ୍ଧ। ଦକ୍ଷିଣପଶ୍ଚିମ ପଶ୍ଚିମବଙ୍ଗ, ଦକ୍ଷିଣପୂର୍ବ ଝାଡ଼ଖଣ୍ଡ, ପୂର୍ବୋତ୍ତର ଓଡ଼ିଶାରେ ଆଦିବାସୀ ଜନଜାତିର ଭାଇଭଉଣୀମାନେ ଏହି ଦିନଟିକୁ ‘ଟୁସୁ ପର୍ବ’ ଭାବରେ ପାଳନ କରନ୍ତି। ଚାଉଳ ବାହାର କରିବା ସମୟରେ ଯେଉଁ ଧାନକୁଣ୍ଡା ବାହାରେ ତାକୁ ‘ଟସ୍’ କୁହାଯାଏ। ଏହି ଶବ୍ଦରୁ ଟୁସୁପର୍ବର କଳ୍ପନା ହୋଇଛି। ଫସଲକଟାର ଖୁସିରେ ‘ଟୁସୁ’ ପ୍ରତିମା ତିଆରି କରି ତାକୁ ପୂଜା କରାଯାଏ ଏବଂ ବାଜା ନାଚ ସହ ତାକୁ ନଦୀଜଳରେ ବିସର୍ଜନ କରାହୁଏ। ଟୁସୁଗୀତ ମକରସଂକ୍ରାନ୍ତିର କ୍ଷେତ୍ରୀୟ ବିଳାସ।
