ଆଜି ରାଜାରାଜେଶ୍ବର ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ଆଜି କାର୍ତ୍ତିକ ପୂର୍ଣ୍ଣିମା । ପଞ୍ଚକର ଶେଷ ଦିନରେ ଶ୍ରୀମନ୍ଦିରରେ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ଆଜି ରାଜାରାଜେଶ୍ବର ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ବଡ଼ି ଭୋରରୁ ଦ୍ବାରଫିଟା ପରେ ନୀତିକାନ୍ତି ବଢିବା ସହ ଚାଲିଛି ସର୍ବସାଧାରଣ ଦର୍ଶନ । କାର୍ତ୍ତିକ ପୂର୍ଣ୍ଣିମାରେ ମହୋଦଧିରେ ସ୍ନାନ ସହିତ ମହାପ୍ରଭୁଙ୍କୁ ଦର୍ଶନ କଲେ, ମହାପୁଣ୍ୟ ମିଳିଥାଏ ବୋଲି ରହିଛି ବିଶ୍ବାସ। ସେଥିପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼। ପ୍ରବଳ ଭିଡ଼ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଶେଷକରି ସମୁଦ୍ରକୂଳରେ ମୋବାଇଲ ପାଟ୍ରୋଲିଂ ଭ୍ୟାନ୍‌ ଓ ସୁରକ୍ଷିତ ସ୍ନାନ ପାଇଁ ୨ଟି ଫେଜ୍‌ରେ ୩୦୦ରୁ ଅଧିକ ଲାଇଫଗାର୍ଡ ମୁତୟନ ହେବେ । କଥିତ ଅଛି ଯେ ମହାପ୍ରଭୁ ପ୍ରତିବର୍ଷ ୫ ଥର ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । କାର୍ତ୍ତିକ ପୂର୍ଣ୍ଣିମାରେ ଅନୁଷ୍ଠିତ ହେଉଥିବା ସୁନାବେଶ ହେଉଛି ଐଶ୍ଚର୍ଯ୍ୟର ବେଶ । ଅତୀତରେ ଓଡ଼ିଆ ସାଧବ ପୁଅମାନେ ମହାପ୍ରଭୁଙ୍କୁ ସ୍ମରଣ କରି ବିଦେଶକୁ ବୋଇତ ମାଧ୍ୟମରେ ଯାଇ ବାଣିଜ୍ୟ କରି ବିପୁଳ ଧନ ରତ୍ନ ଆଣି ମହାପ୍ରଭୁଙ୍କୁ ସମର୍ପିତ କରୁଥିଲେ । ଏହାର ନିଦର୍ଶନ ସ୍ଵରୂପ ମହାପ୍ରଭୁ ମହଣ ମହଣ ସୁନାରେ ବିଭୂଷିତ ହୋଇ ଭକ୍ତଙ୍କୁ ସୁନାବେଶ ତଥା ରାଜାଧିରାଜ ବେଶରେ ଦର୍ଶନ ଦେଇଥାନ୍ତି ।

ଅଧିକ ପଢନ୍ତୁ

Odisha Darpan Digital