ଆଜି ରାଜ୍ୟ ସଭା ଭୋଟ, ୪ ଆସନ ପାଇଁ ହେବ ମତଦାନ

ଓଡ଼ିଶାର ୪ ରାଜ୍ୟ ସଭା ଆସନ ଲାଗି ଆଜି ଭୋଟ ହେବ। ଏପ୍ରିଲ ୨ ତାରିଖରେ ରାଜ୍ୟ ସଭାରୁ ସୁଜିତ୍‌ କୁମାର, ମମତା ମହନ୍ତ, ମୁଜିବୁଲ୍ଲା ଖାନ(ମୁନା) ଏବଂ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଶେଷ ହେବ। । ତେବେ ଆଜି ସକାଳ ୯ଟାରୁ ଭୋଟିଂ ଆରମ୍ଭ ହୋଇ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ। ଅପହରାହ୍ଣ ୫ଟାରେ ଗଣତି ହେବ। ମୈଦାନରେ ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର। ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର। ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ସମର୍ଥନ ଜଣାଇଛି ବିଜେପି। ସେହିଭଳି କମନ ପ୍ରାର୍ଥୀ ହୋଇଛନ୍ତି ଡାକ୍ତର ଦତ୍ତେଶ୍ବର ହୋତା। ତାଙ୍କୁ ବିଜେଡି ଓ କଂଗ୍ରେସ ସମର୍ଥନ ଦେଉଛନ୍ତି। ସିପିଆଇଏମ ମଧ୍ୟ ସମର୍ଥନ ଦେଉଛି । ଚତୁର୍ଥ ଆସନ ପାଇଁ ଏହି ଦୁଇ ଜଣଙ୍କ ମଧ୍ୟରେ ଲଢ଼େଇ ହେଉଛି। ଏହି ଆସନ ପାଇଁ ଛକାପଂଝା ଜାରି ରହିଛି।ସୂଚନାଯୋଗ୍ୟ, ଜଣେ ପ୍ରାର୍ଥୀଙ୍କୁ ଜିତିବା ଲାଗି ୩୦ ଖଣ୍ଡ ଭୋଟ୍‌ର ଆବଶ୍ୟକତା ରହିଛି। ସଂଖ୍ୟା ଦୃଷ୍ଟିରୁ ବିଧାନସଭାରେ ଭାଜପାର ୭୯ ଜଣ ବିଧାୟକ ଥିବାବେଳେ ୩ ଜଣ ସ୍ବାଧୀନ ସଦସ୍ୟଙ୍କ ସମର୍ଥନ ଶାସକ ଦଳ ପ୍ରତି ରହିଛି। ଏହିପରି ବିଧାନସଭାରେ ଶାସକ ଦଳର ସଂଖ୍ୟା ୮୨ ରହିଛି। ବିଜେଡିର ୪୮ ଜଣ ବିଧାୟକ ଅଛନ୍ତି। କଂଗ୍ରେସର ୧୪ ଏବଂ ସିପିଆଇ(ଏମ୍‌)ର ଜଣେ ବିଧାୟକ ରହିଛନ୍ତି। ବିଜେଡିରୁ ନିଲମ୍ବିତ ହୋଇଥିବା ୨ ଜଣ ବିଧାୟକ ଏବେ ସ୍ବାଧୀନ ଅଛନ୍ତି। ଏହି ସଂଖ୍ୟାକୁ ଦେଖିଲେ ଭାଜପାର ୨ ଜଣ ପ୍ରାର୍ଥୀ ଜିତିବା ସମ୍ଭାବନା ଅଧିକ। ଭାଜପା ସମର୍ଥିତ ସ୍ବାଧୀନ ପ୍ରାର୍ଥୀଙ୍କ ସପକ୍ଷରେ ୨୨ ଖଣ୍ଡ ଭୋଟ ରହିଛି। ସେହିପରି ବିଜେଡିର ଜଣେ ପ୍ରାର୍ଥୀ ବିଜୟୀ ହେବା ସମ୍ଭାବନା ରହିଛି। ଅନ୍ୟପଟେ ବିଜେଡିର ଜଣେ ପ୍ରାର୍ଥୀଙ୍କୁ ୩୦ ଖଣ୍ଡ ଭୋଟ ଯିବା ପରେ ବଳକା ୧୮ ଖଣ୍ଡ, କଂଗ୍ରେସ ଓ ସିପିଆଇ(ଏମ୍‌)ର ୧୫ଟି ଭୋଟ ମିଶାଇଲେ କମନ୍‌ ପ୍ରାର୍ଥୀଙ୍କୁ ୩୩ଖଣ୍ଡ ଭୋଟ୍‌ ମିଳିବା କଥା। ହେଲେ ଭୋଟ ହେବାପରେ ଏହି ସଂଖ୍ୟା ଖେଳ କେଉଁଆଡ଼େ ଯାଉଛି ସେକଥା ସ୍ପଷ୍ଟ ହେବ।

ଅଧିକ ପଢନ୍ତୁ