ଆଜି ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ

ଦେବ ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଅଣସର ଘରେ ଜ୍ୱରରେ ପୀଡିତ ଅଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ। ଅଣସର ଗୃହରେ ଦଇତା ଓ ପତି ମହାପାତ୍ରଙ୍କ ଦ୍ୱାରା ଗୁପ୍ତ ସେବା ଚାଲିଥିବାବେଳେ ଚତୁର୍ଦ୍ଧା ବିଗ୍ରହଙ୍କ ଶ୍ରୀଅଙ୍ଗରେ ଆଜି ଲାଗି କରାଯିବ ଫୁଲୁରୀ ତେଲ। ମହାପ୍ରଭୁଙ୍କ ଗୁପ୍ତ ନିତୀ ମଧ୍ୟରେ ଫୁଲୁରୀ ତେଲ ଲାଗି ହେଉଛି ଏକ ଗୁରୁତ୍ୱପୂର୍ଣ ଅଂଶ। ମଧ୍ୟାନ୍ନ ଧୂପ ପରେ ଏହି ଫୁଲୁରି ତେଲ ଶ୍ରୀମନ୍ଦିରକୁ ବିଜେ କରିବା ସହ ରାତ୍ରରେ ମହାପ୍ରଭୁଙ୍କୁ ଲାଗି କରିବେ ଦଇତାପତି ସେବକ । ବଡଓଡିଆ ମଠରୁ ପ୍ରତିବର୍ଷ ଅଣବସର ସମୟରେ ଯୋଗାଇ ଦିଆଯାଏ ଫୁଲୁରି ତେଲ । ଦଇତାପତି ସେବକମାନେ ମଧ୍ୟାହ୍ନ ଧୂପ ପରେ ଶ୍ରୀଜିଉଙ୍କର ଜ୍ବର କମାଇବା ପାଇଁ ପ୍ରଲେପ କରିଥାନ୍ତି ଏହି ଔଷଧୀୟ ତୈଳ ।

ରାଜା ପ୍ରତାପ ଦେବଙ୍କ ଅମଳରୁ ବଡଓଡିଆ ମଠ ଯୋଗାଇ ଆସୁଛି ଏହି ଫୁଲୁରି ତେଲ ସେବା । ଘଣା ପେଡା ରାଶି ତେଲରେ କେତକୀ, ଜୁଇ ଜାଇ, ମାଳତୀ ବକୁଳ ଆଦି ସୁବାସିତ ଫୁଲ କୃଷ୍ଣଭୋଗଧାନ ଓ ବେଣାଚେର ପରି ପ୍ରାୟ ୨୭ପ୍ରକାର ଉପାଦାନ ମିଶାଯାଇ ଏହି ତେଳ ପ୍ରସ୍ତୁତ କରାଯାଏ । ପ୍ରତିବର୍ଷ ଶ୍ରୀଗୁଣ୍ଡିଚାର ହେରାପଞ୍ଚମୀ ଠାରୁ ଏହି ସବୁ ସାମଗ୍ରୀକୁ ଗୋଟିଏ ମାଟି ଘଡିରେ ପୁରାଇ ଗୁପ୍ତ ସ୍ଥାନରେ ପୋତି ରଖାଯାଇଥାଏ । ଜ୍ୟୋଷ୍ଠ ଶୁକ୍ଲ ଚତୁର୍ଦ୍ଦଶୀ ତିଥିରେ ଔଷଧୀୟ ତେଲକୁ ମଠ ମହନ୍ତ ମାଟି ତଳୁ କାଢି ମଠର ଅନ୍ୟ ଏକ କୋଠରୀରେ ଗୋପନୀୟ ଭାବେ ରଖିଥାନ୍ତି । ପଞ୍ଚମୀ ତିଥିରେ ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିରରୁ ଡାକରା ଆସିଲେ ମଠାଧୀଶ ଏହି ତୈଳକୁ ବୈଷ୍ଣବଙ୍କ ଦ୍ୱାରା ଶ୍ରୀମନ୍ଦିରକୁ ପଠାଇବା ପରେ ଦଇତାପତିମାନେ ଏହାକୁ ଶ୍ରୀଅଙ୍ଗରେ ମର୍ଦନ କରିବାର ପରମ୍ପରା ରହିଛି ।

ଅଧିକ ପଢନ୍ତୁ

kc ads