ଶ୍ରୀମନ୍ଦିରରେ ଦୀପାବଳି ପାଳନ ସହ ଅମାବାସ୍ୟା ନୀତି ହେବ । ଏଥିସହ ପୟା ଶ୍ରାଦ୍ଧ ପକାଇ ଭକ୍ତମାନେ ବଡ଼ବଡ଼ିଆଙ୍କୁ କାଉଁରିଆ କାଠି ଜାଳିବେ । ପଞ୍ଜିକା-ପଞ୍ଜିକା ଭିତରେ ଅସାମଞ୍ଜସ୍ୟତା ଓ କ୍ୟାଲେଣ୍ଡରରୁ କ୍ୟାଲେଣ୍ଡରରେ ଭିନ୍ନ ଭିନ୍ନ ସୂଚନାରୁ କିଏ ଗତକାଲି ଦୀପାବଳି ସାଙ୍ଗକୁ ବଡ଼ବଡ଼ୁଆ ଡାକିଛନ୍ତି, ତ କିଏ ଆଜି ପୟାଶ୍ରାଦ୍ଧ ଦେବାକୁ ଯାଉଛନ୍ତି।ସେହିପରି କୋହେନୂର ଓ ଖଡିରତ୍ନ ପଞ୍ଜିକାକୁ ଅନୁସରଣ କରୁଥିବା ଜିଲ୍ଲା ଗୁଡିକ ଆଜି ଦୀପାବଳି ପାଳନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଦୁଇ ଦିନିଆ ଦୀପାବଳି ପାଳନ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି। ଶ୍ରୀମନ୍ଦିରରେ ଆଜି ଦୀପାବଳି ପାଳନ ହେବ । କିନ୍ତୁ ଗତକାଲି ସନ୍ଧ୍ୟାରେ ବାହାରୁ ଆସିଥିବା କିଛି ଶ୍ରଦ୍ଧାଳୁ ସିଂହଦ୍ୱାର ସମ୍ମୁଖରେ ଦୀପଦାନ କରିବା ସହ ବଡବଡୁଆ ଡାକୁଥିବା ଦେଖିବାକୁ ମିଳିଛି । କେବଳ ଏହି ଦୀପାବଳି ନୁହେଁ ପୂର୍ବରୁ କୁମାର ପୂର୍ଣ୍ଣିମା, ଅନନ୍ତବ୍ରତ ଭଳି ଅନେକ ପର୍ବ ପାଳନକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି । ସେପଟେ ଶ୍ରୀମନ୍ଦିରରେ ଦୀପାବଳି ପାଳନ ସାଙ୍ଗକୁ ଧର୍ମ ମାସ କାର୍ତ୍ତିକରେ ଶ୍ରଦ୍ଧାଳୁ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୩ ଜଣ ଅତିରିକ୍ତ ଏସପି,୧୧ ଡିଏସପି, ୧୮ ଇନ୍ସପେକ୍ଟରଙ୍କ ସହ ୨୬ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଛି ବୋଲି ପୁରୀ ଏସପି କହିଛନ୍ତି ।