ଆଜି ଶ୍ରୀରାମ ନବମୀରେ ରଥକାଠ ଚିରଟର ଶୁଭ ଅନୁକୂଳ ହେବ। ଏଥିପାଇଁ ଶ୍ରୀମନ୍ଦିରରୁ ଲାଗି ହୋଇଥିବା ମାଳ, ମହାପ୍ରସାଦ ନେଇ ଏକ ଟିମ୍ କଟକ ଅଭିମୁଖେ ଯାତ୍ରା କରିବେ। କଟକ ଖପୁରିଆସ୍ଥିତ ସ’ ମିଲରେ ମାଳ ମହାପ୍ରସାଦ ଲାଗି ପରେ ରଥକାଠ ଚିରଟ ଆରମ୍ଭ ହେବ।ରଥକୋଡ୍ ଅନୁସାରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକ । ୨୦୨୫ ମସିହାରୁ ୪୭ ଖଣ୍ଡ କାଠ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଗଛିତ ଥିବାରେ ଆସନ୍ତା ରଥ ଯାତ୍ରା ପାଇଁ ଆଉ ୮୧୮ ଖଣ୍ଡ କାଠର ଆବଶ୍ୟକତା ରହିଛି । ସେଥିରୁ ବଡ଼ଦାଣ୍ଡ ରଥଖଳାକୁ ୪୧୬ କାଠ ଓ ଚିରଟ ପାଇଁ କରତ କଳକୁ ୪୦୨ ଖଣ୍ଡ ପହଞ୍ଚାଇବାକୁ ବନ ବିଭାଗକୁ କୁହାଯାଇଛି । ଏଥିସହ ୧୦୦ ଖଣ୍ଡ କଞ୍ଚା କାଠ ଦରକାର । ଏଥିରେ ଅସନ, ଧଉରା, ଫାଶି ଓ ଶିମିଳି ଆଦି କାଠ ରହିଛି । ଦଫା ଦଫା ହୋଇ ରଥ କାଠ କରତକଳ ଓ ବଡ଼ଦାଣ୍ଡ ରଥଖଳାରେ ପହଞ୍ଚୁଛି । ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣର ଶୁଭାରମ୍ଭ ହେବ । ତେବେ ଭାରପ୍ରାପ୍ତ ବରିଷ୍ଠ ତତ୍ତ୍ବାବଧାରକ ଚିତ୍ତରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଚିରଟ ପ୍ରକ୍ରିୟା ଅନୁକୂଳ କରିବେ। ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କ ସମେତ ତିନି ରଥର ମୁଖ୍ୟ ମହାରଣା, ଅମିନ, ଭୋଇ ସର୍ଦାର ଉପସ୍ଥିତ ରହିବେ। ତିନିଟି ଧଉରା କାଠକୁ ଚିରଟ କରାଯିବ।
