ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପରେ ରହିଛି ଘୂର୍ଣ୍ଣିବଳୟ । ୨୪ ଘଣ୍ଟା ଭିତରେ ଏହା ଲଘୁଚାପ ରୂପ ନେବ । ମାତ୍ର ଏହାର ପ୍ରଭାବ ଓଡ଼ିଶା ଉପରେ ଅଧିକ ଲମ୍ବା ସମୟ ରହିବନି । ଆଜି ୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି। ସେସବୁ ଜିଲ୍ଲା ଗୁଡ଼ିକ ହେଉଛି ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର । ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନଗୁଡ଼ିକକୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି। ଆସନ୍ତାକାଲିଠୁ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି।
୪ ଓ ୫ ତାରିଖରେ ଉତର ଉପକୂଳର ଅନେକ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ସମ୍ଭାବ୍ୟ ଚିତ୍ର ଅନୁସାରେ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଓଡ଼ିଶାରେ ବି ଭଲ ବର୍ଷା ହେବା ନେଇ ଅନୁମାନ କରାଯାଉଛି । ଚଳିତ ଅଗଷ୍ଟ ମାସରେ ରାଜ୍ୟରେ ଭଲ ବର୍ଷା ହୋଇପାରେ । ମାତ୍ର ଦକ୍ଷିଣ ଓଡ଼ିଶାରେ ବର୍ଷା ପରିମାଣ କମିପାରେ । ଦକ୍ଷିଣରେ ବର୍ଷା ନିଅଣ୍ଟିଆ ରହିବା ଆଶଙ୍କା ରହିଛି । ବିଶେଷ କରି କଳାହାଣ୍ଡି, ରାୟଗଡ଼ା ଓ ଗଜପତିରେ ବର୍ଷା ପରିମାଣ କମିବା ଅନୁମାନ କରାଯାଉଛି । ସେହିପରି ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତ୍ସିଂହପୁର, ବାଲେଶ୍ବରରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ନିଂ ଜାରି କରାଯାଇଛି।