ଆଜି ସେପ୍ଟେମ୍ବର ୫ ତାରିଖ। ଗୁରୁ ଦିବସ

ଆଜି ସେପ୍ଟେମ୍ବର ୫ ତାରିଖ। ଗୁରୁ ଦିବସ। ମହାନ ଶିକ୍ଷାବିତ୍, ଦାର୍ଶନିକ ତଥା ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମଦିନ। ତାଙ୍କର ଜନ୍ମଦିନକୁ ସାରା ଦେଶରେ ଗୁରୁ ଦିବସ ରୂପେ ପାଳନ କରାଯାଉଛି।ଡକ୍ଟର ରାଧାକ୍ରିଷ୍ଣନ ଏକାଧାରରେ ଜଣେ ଶିକ୍ଷକ, ଶିକ୍ଷାବିତ୍, ଦାର୍ଶନୀକ ଓ କୁଟନୀତିଜ୍ଞ ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ । ଏହି ଅବସରରେ ବିଭିନ୍ନ ସ୍କୁଲ, କଲେଜ୍ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷକ ତଥା ଅଧ୍ୟାପକ ମାନଙ୍କୁ ପୂଜା କରାଯାଇଥାଏ । ଗୁରୁମାନଙ୍କୁ ସମ୍ମାନ ଜଣାଇ ସେମାନଙ୍କର ଆଶୀର୍ବାଦ ଭିକ୍ଷା କରିଥାନ୍ତି ଛାତ୍ରଛାତ୍ରୀ । ଆଜି ଗୁରୁ ଦିବସ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଗୁରୁପୂଜାର ପରମ୍ପରା ଅନୁଷ୍ଠିତ ହୋଇଥାଏ ।ଶିକ୍ଷାଦାନ ବୃତ୍ତିରୁ ଭାରତର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ହୋଇ ପରେ ‘ଭାରତ ରତ୍ନ’ ପାଇଥିବା ଏହି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କର ଭାରତୀୟ ଶିକ୍ଷା କ୍ଷେତ୍ରକୁ ସ୍ମରଣୀୟ ଅବଦାନ ରହିଛି। ସ୍ୱାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ହେବା ପରେ ଡକ୍ଟର୍‌ ରାଧାକ୍ରିଷ୍ଣନ୍‌ ୧୯୬୨ ମସିହା ମେ ୧୪ ତାରିଖରେ ଦେଶର ଦ୍ୱିତୀୟ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଭାର ଗ୍ରହଣ କରିଥିଲେ ଏବଂ ସଂପୂର୍ଣ୍ଣ ୫ ବର୍ଷ ଯାଏ ଏହି ଦାୟିତ୍ୱରେ ରହିଥିଲେ।୧୮୮୮ ସେପ୍ଟେମ୍ବର ୫ ତାରିଖରେ ତାମିଲନାଡୁର ତିରୁଟ୍ଟନୀଠାରେ ଜନ୍ମଗ୍ରହଣ କରିଥିଲେ ଏହି ମହାନ ବ୍ୟକ୍ତିତ୍ୱ । ରାଧାକ୍ରିଷ୍ଣନଙ୍କ ଶୈଶବ ତିରୁଟ୍ଟନୀ ଓ ତିରୁପତିରେ କଟିଥିଲା ଏବଂ ତାଙ୍କର ପାଠପଢା ଆରମ୍ଭ ହୋଇଥିଲା ଖ୍ରୀଷ୍ଟିଆନ୍ ମିସନାରି ସ୍କୁଲରେ । ଉଚ୍ଚ ଶିକ୍ଷା ପରେ, ୧୯୦୯ରେ ରାଧାକ୍ରିଷ୍ଣନଙ୍କୁ ମାଡ୍ରାସ ପ୍ରେସିଡେନ୍ସି ମହାବିଦ୍ୟାଳୟରେ ଦର୍ଶନ ବିଭାଗର ଅଧ୍ୟାପକ ଭାବେ ନିଯୁକ୍ତି ମିଳିଥିଲା । ଏହାପରଠାରୁ ରାଧାକ୍ରିଷ୍ଣନ ମୁଖ୍ୟତଃ ଭାରତୀୟ ଦର୍ଶନ ଶାସ୍ତ୍ର ଏବଂ ଧର୍ମଶାସ୍ତ୍ର ଅଧ୍ୟୟନରେ ନିଜକୁ ନିୟୋଜିତ ରଖିଥିଲେ ।୧୯୧୮ରେ ରାଧାକ୍ରିଷ୍ଣନ ମୈସୂର ବିଶ୍ୱବିଦ୍ୟାଳୟରେ ଦର୍ଶନ ବିଭାଗର ପ୍ରଫେସର ଭାବେ ନିଯୁକ୍ତ ହୋଇଥିଲେ । ତାହାପରେ କଲିକତା ବିଶ୍ୱବିଦ୍ୟାଳୟ, ଲଣ୍ଡନର ହାର୍ଭାଡ୍ ବିଶ୍ୱବିଦ୍ୟାଳୟ, ମାଂଚେଷ୍ଟର ବିଶ୍ୱବିଦ୍ୟାଳୟ ଓ ଶେଷରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ । ଶିକ୍ଷକ-ଜୀବନରେ ସେ ଭାରତୀୟ ଦର୍ଶନ, ଧର୍ମ-ଦର୍ଶନ, ତୁଳନାତ୍ମକ ଧର୍ମ-ଦର୍ଶନ ଓ ନୀତିଶିକ୍ଷା ଆଦିରେ ଶିକ୍ଷାଦାନ କରିଥିଲେ । ‘ଶ୍ରୀମଦଭଗବତଗୀତା’କୁ ଇଂରାଜୀରେ ଅନୁବାଦ କରିଥିଲେ ରାଧାକ୍ରିଷ୍ଣନ । ବେଦ ଓ ଉପନିଷଦକୁ ଅତି ସୁନ୍ଦର ଭାବରେ ବ୍ୟାଖ୍ୟା କରୁଥିଲେ ସେ । ଖାଲି ସେତିକି ନୁହେଁ ରାଧାକ୍ରିଷ୍ଣନ ସତ୍ୟାନୁରାଗୀ ଓ ସଦାଚାରୀ ବି ଥିଲେ ।

ଅଧିକ ପଢନ୍ତୁ

Odisha Darpan Digital