ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର

ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ଏନେଇ ରାଜ୍ୟ ଏବଂ ରାଜଧାନୀରେ ଥିବା ଶୈବପୀଠଗୁଡ଼ିକ ବେଶ୍‌ ଚଳଚଞ୍ଚଳ ହୋଇଉଠିଛି। ବିଭିନ୍ନ ଶୈବପୀଠରେ କାଉଡ଼ିଆମାନେ ଭଗବାନ ଶିବଙ୍କଠାରେ ଜଳଲାଗି କରିଛନ୍ତି |ଦୂର ଦୂରାନ୍ତରୁ ପାଣି ଆଣି କାଉଡ଼ିଆଙ୍କ ଲମ୍ୱାଧାଡ଼ି ବିଭିନ୍ନ ଶୈବ ପୀଠକୁ ଲମ୍ୱିଛି । ଅନେକ ଶ୍ରଦ୍ଧାଳୁ ମାଇଲ ମାଇଲ ବାଟ ଚାଲି ପାଣି ଭାର ଉଠାଇ ଶିବଙ୍କୁ ଜଳ ଲାଗି କରିବାକୁ ବାହାରିଛନ୍ତି । ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କୁ ଜଳ ଲାଗି ଗଲେ ମାନସିକ ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ମାସକ ପୂର୍ବରୁ ଜଳ ଲାଗି କରିବାକୁ ଯାଉଥିବା କାଉଡ଼ିଆ ରୀତି ନୀତି ପାଳନ କରିଥା’ନ୍ତି । ଶ୍ରାବଣ ମାସ ସାରା ପ୍ରତିଟି ସୋମବାର ବିଭିନ୍ନ ନଦୀରୁ ଜଳ ସଂଗ୍ରହ କରି ଖାଲିପାଦରେ ବାହୁଙ୍ଗା ବୋହି ପାଦରେ ଚାଲି ଚାଲି ନିଷ୍ଠାର ସହ ଶୈବପୀଠକୁ ଆଣି ଭୋଳାବାବାଙ୍କୁ ଜଳ ଲାଗି କରିଥା’ନ୍ତି । ମହାଦେବଙ୍କ ଉଦ୍ଦେଶ୍ୟରେ ସମସ୍ତ ଭକ୍ତଙ୍କ ମୁହଁରେ ଏହି କଥା ଶୁଣିବାକୁ ମିଳେ । ସେ କୋପରେ ବର ଦିଅନ୍ତି ନଚେତ ତପ କରି ମଧ୍ୟ ମହାଦେବଙ୍କ ମନ ଜିଣିହୁଏ । ନିଜ ମନବାଞ୍ଛା ପୂରଣ କରିବା ପାଇଁ ଭକ୍ତମାନେ ଅତି ଶ୍ରଦ୍ଧା ଓ ନିଷ୍ଠାର ସହ ଏହି ଶ୍ରାବଣ ମାସ ପାଳନ କରିଥାନ୍ତି । ଅଧିକାଂଶ ମହିଳା ଏବଂ ପୁରୁଷ ଏହି ମାସରେ ପଡୁଥିବା ସମସ୍ତ ସୋମବାରରେ ଭଗବାନ ମହାଦେବଙ୍କୁ ପୂଜା କରିବା ସହ ଉପବାସ ରଖିଥାଆନ୍ତି । ସୋମବାର ଉପବାସ ସମୟରେ ଲୋକମାନେ କେବଳ ଥରେ ଖାଦ୍ୟ ଖାଆନ୍ତି । ତାହା ମଧ୍ୟ ଶୁଦ୍ଧ ଶାକାହାରୀ ଖାଦ୍ୟ ହୋଇଥାଏ । କେବଳ ଏତିକି ନୁହେଁ, ଏହି ମାସରେ ଲୋକମାନେ ସାତ୍ତ୍ବିକ ଖାଦ୍ୟ ଖାଆନ୍ତି ।

ଅଧିକ ପଢନ୍ତୁ

kc ads