ଆଜି ଏପ୍ରିଲ୍ ୨୪ । ‘ଗଡ୍ ଅଫ୍ କ୍ରିକେଟ୍’ ଅର୍ଥାତ ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ। ଏହି ଦିନଟିକୁ କେବଳ ଦେଶ ନୁହେଁ ସାରା ବିଶ୍ୱ ପାଳନ କରେ। ଭାରତର ପ୍ରତ୍ୟେକ ଗଳିରେ କ୍ରିକେଟକୁ ପହଞ୍ଚାଇବାରେ ମହାନ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି।୧୯୮୯ ମସିହା ନଭେମ୍ବର ୧୫ ତାରିଖରେ ପାକିସ୍ତାନ ବିପକ୍ଷରେ ଟେଷ୍ଟରେ ଡେବ୍ୟୁ କରିଥିଲେ ସଚିନ ତେନ୍ଦୁଲକର । ୨୩ ବର୍ଷର ଅନ୍ତର୍ଜାତୀୟ କ୍ୟାରିଅରରେ ସଚିନ ୬୬୪ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୩୪ ହଜାର ୩୫୭ ରନ୍ କରିଛନ୍ତି । ଖାଲି ବ୍ୟାଟିଂ ନୁହେଁ ବୋଲିଂରେ କମାଲ କରିଥିଲେ ସଚିନ ତେନ୍ଦୁଲକର । ତାଙ୍କ ନାମରେ ୨୦୧ ଅନ୍ତର୍ଜାତୀୟ ୱିକେଟ୍ ରହିଛି । ଏହାଛଡ଼ା ୨୦୧୧ ଦିନିକିଆ ବିଶ୍ୱକପ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ରହିଥିଲେ ସଚିନ ତେନ୍ଦୁଲକର । ନିଜ କ୍ୟାରିଅରରେ ଅନେକ ରେକର୍ଡ ନିଜ ନାଁରେ କହିଛନ୍ତି ସଚିନ । କିନ୍ତୁ କିଛି ଏଭଳି ରେକର୍ଡ ରହିଛି ଯାହା ଅନ୍ୟ କେହି କ୍ରିକେଟର ଭାଙ୍ଗିବା ସହଜ ହେବନି ।
କ୍ରିକେଟକୁ ଏତେ ପ୍ରସିଦ୍ଧ କରିଥିବା ଏବଂ ଭାରତରେ ଏହି ଖେଳର ଭଗବାନ କୁହାଯାଉଥିବା ସଚିନ ଆଜି ଅର୍ଥାତ୍ ୨୪ ଏପ୍ରିଲ ୨୦୨୫ ରେ ୫୨ ବର୍ଷ ବୟସରେ ପାଦ ଦେଇଛନ୍ତି। ଆଜି ତାଙ୍କ ଜନ୍ମଦିନ । ୨୦୧୨ରେ ସେ ଶେଷ ଥର ପାଇଁ ପାକିସ୍ତାନ ବିପକ୍ଷରେ ଦିନିକିଆ ମ୍ୟାଚ୍ ଖେଳିଥିଲେ । ୨୨ ବର୍ଷ ଯାଏଁ ଦିନିକିଆ କ୍ରିକେଟ ଖେଳିଥିବା ଏକ ମାତ୍ର କ୍ରିକେଟର ହେଉଛନ୍ତି ସଚିନ ତେନ୍ଦୁଲକର । ୨୨ ବର୍ଷ ୯୧ ଦିନ ଧରି ସେ ଦିନିକିଆ ଖେଳିଥିଲେ । ତାଙ୍କ ପରେ ଶ୍ରୀଲଙ୍କା କ୍ରିକେଟର ସନଥ ଜୟସୂରିୟା ସର୍ବାଧିକ ୨୧ ବର୍ଷ ଯାଏଁ ଦିନିକିଆ କ୍ରିକେଟ ଖେଳିଥିଲେ । ତେବେ ୨୦୧୦ ମସିହାରେ ସଚିନଙ୍କୁ ଏକ ମଦ କମ୍ପାନିର ବିଜ୍ଞାପନ କରିବାକୁ ୨୦ କୋଟି ଟଙ୍କାର ଅଫର୍ ଆସିଥିଲା। ମାତ୍ର ସେ ବାପାଙ୍କ ନିକଟରେ କରିଥିବା ଶପଥ ଯୋଗୁ ବିଜ୍ଞାପନ କଲେ ନାହିଁ। ସଚିନ ପିଲାଦିନେ ତାଙ୍କ ବାପାଙ୍କୁ କଥା ଦେଇଥିଲେ ଯେ ସେ ମଦ ପିଇବେ ନାହିଁ କି ଏହାକୁ ପ୍ରୋତ୍ସାହନ ଦେବେ ନାହିଁ।