ଦୁର୍ନୀତି ସମାଜର ବିକାଶରେ ଏକ ପ୍ରମୁଖ ପ୍ରତିବନ୍ଧକ କହିଲେ କିଛି ଭୁଲ୍ ହେବନି। ଅକ୍ଟୋବର ୩୧, ୨୦୦୩ରେ ମିଳିତ ଜାତିସଂଘର ସାଧାରଣ ସଭାରେ ଆନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ପାଳନ କରିବାକୁ ଘୋଷଣା କରାଯାଇଥିଲା। ଏହି ଦିନ ଡିସେମ୍ବର ୯ କୁ ଦୁର୍ନୀତି ନିବାରଣ ଦିବସ ରୂପେ ପାଳନ କରାଯିବାକୁ ନିର୍ଣ୍ଣୟ ନିଆ ଯାଇଥିଲା।ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ର ଉପରେ ଦୁର୍ନୀତିକୁ ରୋକିବା ଲାଗି ବ୍ୟବସ୍ଥା ମଧ୍ୟ ରହିଛି । ସରକାରୀ କ୍ଷେତ୍ରରେ କର୍ମଚାରୀମାନେ ବୃତ୍ତିଗତ ତଥା ନୈତିକ ଆଚରଣ ବିଧି ଅନୁଯାୟୀ କାର୍ଯ୍ୟ କରିବା ଉଚିତ । ସାର୍ବଜନୀନ ଆର୍ଥିକ ପ୍ରସଙ୍ଗରେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ବକୁ ମଧ୍ୟ ପ୍ରୋତ୍ସାହନ ଦେବା ଆବଶ୍ୟକ । ବିଶେଷକରି ଜନସାଧାରଣ କ୍ରୟ ଏବଂ ନ୍ୟାୟପାଳିକା ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଦୁର୍ନୀତି ନ ହେବା ଉଚିତ । ତେବେ ଦୁର୍ନୀତି ରୋକିବା ପାଇଁ ସମାଜର ସମସ୍ତ ସଦସ୍ୟଙ୍କଠାରୁ ମଧ୍ୟ ଏକ ପ୍ରୟାସ ଆବଶ୍ୟକ ।ବିଭିନ୍ନ ଦେଶରେ ଦୁର୍ନୀତି ନେଇ ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ଦ୍ୱାରା ପ୍ରକାଶିତ କରପ୍ସନ ପରସେପସନ୍ ଇଣ୍ଡେକ୍ସ (ସିପିଆଇ) ୨୦୨୪ର ରିପୋର୍ଟରେ ତୁଳନାତ୍ମକ ତଥ୍ୟ ପ୍ରଦାନ କରାଯାଇଛି। ଏହି ରିପୋର୍ଟ ଅନୁସାରେ ୧୮୦ଟି ଦେଶ ମଧ୍ୟରୁ ଦୁଇ-ତୃତୀୟାଂଶ ଦେଶ ୫୦%ରୁ କମ୍ ସ୍କୋର କରିଛନ୍ତି। ଏହି ରିପୋର୍ଟରୁ ସ୍ପଷ୍ଟ ହୁଏ ଯେ, ସାରା ବିଶ୍ୱରେ ଦୁର୍ନୀତି ବ୍ୟାପକ ଭାବରେ ରହିଛି। ଏଥିରେ ଭାରତ ୯୬ତମ ସ୍ଥାନରେ ରହିଛି ଏବଂ ଏହାର ସ୍କୋର ୩୮ (୧୦୦ରୁ) ରହିଛି। ତେବେ ଆଶ୍ବସ୍ତିରେ ଏହା ୨୦୨୩ ତୁଳନାରେ ସାମାନ୍ୟ କମିଛି। ୨୦୨୩ରେ ସ୍କୋର ୩୯ ଥିଲା। ଏହି ରିପୋର୍ଟ ଅନୁସାରେ ୮ ସ୍କୋର ସହ ଦକ୍ଷିଣ ସୁଦାନ ସର୍ବାପେକ୍ଷା ଦୁର୍ନୀତିଗ୍ରସ୍ତ ଦେଶ। ଏହାସହ ସୋମାଲିଆ (୯), ଏବଂ ଭେନିଜୁଏଲା (୧୦) ସର୍ବାଧିକ ଦୁର୍ନୀତିଗ୍ରସ୍ତ ଦେଶ ଭାବରେ ସୂଚକାଙ୍କର ସବାତଳେ ରହିଛନ୍ତି। ଏହାର ବିପରିତ ୯୦ ସ୍କୋର ସହ ଡେନ୍ମାର୍କ ସବୁଠାରୁ କମ୍ ଦୁର୍ନୀତିଗ୍ରସ୍ତ ଦେଶ ଭାବରେ ଶୀର୍ଷରେ ରହିଛି। ଏହା ପଛକୁ ଫିନଲାଣ୍ଡ (୮୮) ଏବଂ ସିଙ୍ଗାପୁର (୮୪) ରହିଛନ୍ତି।
