ଆଫଗାନିସ୍ତାନ ଭୟଙ୍କର ଭୂମିକମ୍ପ । ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଆଫଗାନିସ୍ତାନ ଭୟଙ୍କର ଭୂମିକମ୍ପ । ପ୍ରକୃତିର ତାଣ୍ଡବରେ ମୃତ୍ୟୁ ସଂଖ୍ୟା ୮ ଶହ ଟପିଲାଣି । ଆଫଗାନିସ୍ତାନରେ ହୋଇଥିବା ଏହି ଭୟଙ୍କର ବିପର୍ଯ୍ୟୟକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ରବିବାର ରାତିରେ ଦେଶର ପାର୍ବତ୍ୟ ଅଞ୍ଚଳଗୁଡ଼ିକ ଉପରେ ୬.୦ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଆମେରିକୀୟ ଭୂତତ୍ତ୍ୱ ସର୍ଭେ (USGS) ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳ ଜଲାଲାବାଦ ସହରଠାରୁ ୨୭ କିଲୋମିଟର ଦୂରରେ ଥିଲା। ପ୍ରାୟ ଦୁଇ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦେଶର ପଞ୍ଚମ ବୃହତ୍ତମ ସହର ଜଲାଲାବାଦରେ ସାରା ରାତି ଭୂକମ୍ପ ଯୋଗୁଁ ଲୋକମାନେ ଆତଙ୍କିତ ହୋଇଥିଲେ।

ତାଲିବାନ ସରକାରଙ୍କ ଅନୁସାରେ, ଏପର୍ଯ୍ୟନ୍ତ ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୨୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସର୍ବାଧିକ କ୍ଷତି କୁନାର ପ୍ରଦେଶରେ ହୋଇଛି। ଏଠାରେ ୬୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟ କରି ଦୁଃଖପ୍ରକାଶ କରିଛନ୍ତି ।ଆଫଗାନିସ୍ତାନରେ ଭୂକମ୍ପ ଯୋଗୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ଆଫଗାନିସ୍ତାନରେ ଭୂକମ୍ପ ଯୋଗୁ ଶତାଧିକ ଲୋକଙ୍କ ପ୍ରାଣହାନୀ ଘଟଣାରେ ଗଭୀର ଭାବେ ମର୍ମାହତ । ଏଭଳି କଠିନ ମୁହୂର୍ତ୍ତରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦଗତି କାମନା କରୁଛି । କ୍ଷତିଗ୍ରସ୍ତମାନଙ୍କୁ ସମସ୍ତ ପ୍ରକାର ମାନବୀୟ ସହାୟତା ଏବଂ ରିଲିଫ୍ ଯୋଗାଇଦେବାକୁ ଭାରତ ପ୍ରସ୍ତୁତ ରହିଛି ।

ଅଧିକ ପଢନ୍ତୁ