ଆମେରିକାରେ ଅଚ୍ୟୁତ ସାମନ୍ତଙ୍କ ନାମରେ ଖୋଲିବ ଗବେଷଣା କେନ୍ଦ୍ର

ଆମେରିକାର ଅନ୍ୟତମ ଖ୍ୟାତିସମ୍ପନ୍ନ ବିଶ୍ୱବିଦ୍ୟାଳୟ ସିଟି ୟୁନିଭରସିଟି ଅଫ୍‍ ନିଉୟର୍କ (କ୍ୟୁନି)ରେ ସମାଜସେବୀ ତଥା କିଟ୍‍ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ନାମରେ ଏକ ଗବେଷଣା କେନ୍ଦ୍ର ସ୍ଥାପିତ ହେବାକୁ ଯାଉଛି।ଆସନ୍ତା ମାସରେ ‘ଅଚ୍ୟୁତ ସାମନ୍ତ ଇଣ୍ଡିଆ ଇନିସିଏଟିଭ ଅଫ୍‌ ଦି କ୍ୟୁନି କ୍ରେଷ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ (ଏଏସ୍‌ଆଇଆଇସିସିଆଇ) ନାମରେ ଏହି ଗବେଷଣା କେନ୍ଦ୍ର ସ୍ଥାପନ କରାଯିବ। ଏନେଇ ଶୁକ୍ରବାର ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କ୍ୟୁନି ବିଶ୍ୱବିଦ୍ୟାଳୟ ସଭାପତି ଡ. ମିଲ୍‌ଟନ ସାଣ୍ଟିଆଗୋ ଘୋଷଣା କରିଛନ୍ତି। କ୍ୟୁନି ସଭାପତି ଡ. ସାଣ୍ଟିଆଗୋ ମୁମ୍ବାଇ ଏବଂ ହାଇଦ୍ରାବାଦସ୍ଥିତ ଆମେରିକା ଦୂତାବାସର କନ୍‌ସଲ ଜେନେରାଲଙ୍କୁ ନେଇ ଏକ ୧୫ଜଣିଆ ପ୍ରତିନିଧିମଣ୍ଡଳୀ ଗୁରୁବାର କିଟ୍‌ ଓ କିସ୍‌ ପରିଦର୍ଶନରେ ଆସିଥିଲା। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ସାମନ୍ତ ଓଡ଼ିଶାର କଳା ସଂସ୍କୃତି ଉପରେ ଆମେରିକାର ଏକ ଖ୍ୟାତିସମ୍ପନ୍ନ ବିଶ୍ୱବିଦ୍ୟାଳୟରେ ଶିକ୍ଷା ବିନିମୟ ଓ ଗବେଷଣା କରାଯିବା ଓଡ଼ିଶା ପାଇଁ ଏକ ଗୌରବର ବିଷୟ ବୋଲି କହିଛନ୍ତି।ସୂଚନାଯୋଗ୍ୟ ଯେ କ୍ୟୁନି ବିଶ୍ୱବିଦ୍ୟାଳୟ ଅଧୀନରେ ୨୫ଟି ମହାବିଦ୍ୟାଳୟ ରହିଛି। ଏଠାରେ ବିଶ୍ୱର ୧୨୨ଟି ଦେଶର ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୧୩ଜଣ ନୋବେଲ ବିଜେତା ସୃଷ୍ଟି ହୋଇଛନ୍ତି।

ଅଧିକ ପଢନ୍ତୁ