କୋଭିଡ ମହାମାରୀ, ରୁଷ ୟୁକ୍ରେନ ଯୁଦ୍ଧ ଏହା ପରେ ଟ୍ରମ୍ପଙ୍କ ଟାରିଫ ମାଡ । ଏହାର ପ୍ରଭାବ ବିଶ୍ୱ ଅର୍ଥନୀତି ଉପରୁ ଶେଷ ହୋଇ ନ ଥିବା ବେଳେ ପୁଣି ସଙ୍କଟ ସୃଷ୍ଟି କରିଛି ଆମେରିକା-ଇରାନ ଯୁଦ୍ଧ । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଦେଶର ପେଟ୍ରୋଲଡିଜେଲ, ଏଲ୍ପିଜି, ସାର, ପେଟ୍ରୋକେମିକାଲ୍ସ, ବିମାନ ସେବା, ପେଣ୍ଟସ, କୀଟନାଶକ, ସେରାମିକ, ଗ୍ଲାସ, ପରିବହନ, ଲଜିଷ୍ଟିକ୍ସ, ଟାୟାର, ଅଟୋମୋବାଇଲସ, ଧାତକ, କୃଷି ଯନ୍ତ୍ରାଂଶ ସମେତ ବିଭିନ୍ନ କ୍ଷେତ୍ରରେ ପଡିଛି । ଏବେ ଯୁଦ୍ଧ ଯୋଗୁ ଏଲ୍ପିଜି ସଙ୍କଟ ଘନେଇଛି । ଯାହାର ସିଧାସଳଖ ହାଣ୍ଡିଶାଳକୁ ମାଡ଼ କରିଛି ।ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ମୁତାବକ, ସୂର୍ଯ୍ୟମୁଖୀ ତେଲ ଲିଟର ପିଛା ୧୫ ଟଙ୍କା ଏବଂ ଶୋରିଷ ତେଲ ଦର ୧୦ ଟଙ୍କାରୁ ଉଦ୍ଧ୍ୱର୍ ବଢ଼ିଛି । ଯୁଦ୍ଧ ଯୋଗୁ ଖାଇବା ତେଲ ଉପର ମୁହାଁ ।
ଦେଶ ପ୍ରତିବର୍ଷ ୫ରୁ ୬ ନିୟୁତ ମେଟ୍ରିକ ଟନ୍ ଡାଲି ଆମଦାନି କରିଥାଏ । ଯୁଦ୍ଧ ସ୍ଥିତିରେ ଆମଦାନି ପ୍ରଭାବିତ ହେବ ବୋଲି ବିଶେଷଜ୍ଞ କହିଛନ୍ତି । ସେହିଭଳି ଇରାନରୁ ଆସୁଥିବା ଫଳ ଡ୍ରାଏଫ୍ରୁଟସ ଦର ବଢ଼ିଗଲାଣି । ୨୦୨୪ରେ ଭାରତର ମୋଟ ସେଓ ଆମଦାନିରେ ଇରାନର ଅଂଶ ୨୩% ଥିଲା । ସେହିଭଳି ଆଲମଣ୍ଡ ଏବଂ ପିସ୍ତାର ଅଂଶ ଯଥାକ୍ରମେ ୬୦% ଏବଂ ୩୯% । ଡ୍ରାଏଫ୍ରୁଟ ଦର ବଢ଼ିବା ଯୋଗୁ ମିଠା ମଧ୍ୟ ମହଙ୍ଗା ହେବାକୁ ଲାଗିଛି । ଦୈନଦିନ ବ୍ୟବହାରରେ ଆସୁଥିବା ସାବୁନ, ସାମ୍ପୁ, କ୍ରିମ, ହେୟାରଅଏଲ, ପ୍ୟାକେଜିଂ, ବୋତଲ ଏବଂ ଟ୍ୟୁବସରେ ବ୍ୟବହୃତ ପେଟ୍ରୋକେମିକାଲ ଦର ଉପର ମୁହାଁ ହେବା ଯୋଗୁ କମ୍ପାନିଙ୍କ ଲାଗି ଏହା ଚିନ୍ତାର କାରଣ ପାଲଟିଛି ।ବିମାନ କମ୍ପାନି ଗୁଡ଼ିକ ଯୁଦ୍ଧ ସରଚାର୍ଜ ବଢ଼ାଇ ଦେଲେଣି । ଇଣ୍ଡିଗୋ ଉଭୟ ଡୋମେଷ୍ଟିକ ଏବଂ ଇଣ୍ଟରନ୍ୟାଶନାଲ ରୁଟ ଲାଗି ଯଥାକ୍ରମେ ୪୨୫ ଏବଂ ୨୩୦୦ ଟଙ୍କା ଏଭଳି ଚାର୍ଜ ନେଉଛି । ସେହିଭଳି କାର୍ କମ୍ପାନି ଗୁଡ଼ିକ ୩% ଯାଏ ଦର ବଢ଼ାଇ ପାରନ୍ତି । ଯୁଦ୍ଧ ଯୋଗୁ ବିଦେଶରେ ପଢ଼ିବା ମହଙ୍ଗା । କାରଣ ଏବେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୯୩.୧୨ ସ୍ତର ଛୁଇଁଲାଣି।
