ଆରପାରିରେ ଲୋକନୃତ୍ୟ ଗୁରୁ ପଦ୍ମଶ୍ରୀ ଉଛବ ଚରଣ ଦାସ

ଆରପାରିରେ ଲୋକନୃତ୍ୟ ଗୁରୁ ପଦ୍ମଶ୍ରୀ ଉଛବ ଚରଣ ଦାସ। କଟକ ଚୌଦ୍ବାରସ୍ତିତ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା । ଓଡ଼ିଶାର ପାରମ୍ପରିକ ‘ଘୋଡ଼ା ନାଚ’କୁ ବିଶ୍ୱସ୍ତରରେ ପରିଚିତ କରାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏଥାପାଇଁ ତାଙ୍କୁ ୨୦୨୦ରେ ପଦ୍ମଶ୍ରୀ ସମ୍ମାନ ମିଳିଥିଲା । ଏହା ଆଗରୁ ସେ ୧୯୯୭–୯୮ ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ମଧ୍ୟ ପାଇଥିଲେ । ୨୦୧୫ରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧୀ ପ୍ରଦାନ କରିଥିଲା । ଘୋଡ଼ା ନାଚ କରି ରାଜ୍ୟ, ଦେଶ ତଥା ଦେଶ ବାହାରେ ସେ ସୁନାମ ଅର୍ଜନ କରିଥିଲେ ।ସେପଟେ ପଦ୍ମଶ୍ରୀ ଉଛବ ଚରଣ ଦାସ ପରଲୋକ ଖବର ଶୁଣି ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ସମବେଦନା ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଘୋଡ଼ାନାଚ କଳାକାର ଉତ୍ସବ ଚରଣ ଦାସଙ୍କ ପରଲୋକ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଓଡ଼ିଶାର ପାରମ୍ପରିକ ଲୋକକଳାକୁ ସମୃଦ୍ଧ କରିବାରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।

ଅଧିକ ପଢନ୍ତୁ

kc ads