ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି କାମ । ରାଜ୍ୟ ସରକାରଙ୍କ ଏସ୍ଓପି ଅନୁଯାୟୀ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି । ଏଏସ୍ଆଇ ଅଧିକ୍ଷକ ଡି.ବି. ଗଡ଼ନାୟକଙ୍କ ଅଧ୍ୟକ୍ଷତାରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ରତ୍ନଭଣ୍ଡାର ମରାମତିର ପ୍ରଥମ ଦିନରେ ଲୁହା ଭାରା ବନ୍ଧା କାର୍ଯ୍ୟ କରାଯାଉଛି । ଏଥିପାଇଁ ୧୫ ଜଣ କର୍ମଚାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ନିୟୋଜିତ କରାଯାଇଛି । ଲୁହା ଭାରା ବନ୍ଧା କାର୍ଯ୍ୟ ଶେଷ ହେବା ପରେ କାନ୍ଥରୁ ଚୂନ ଛଡ଼ାଯିବା କାର୍ଯ୍ୟ କରାଯିବ । ପରେ କାନ୍ଥ ଓ ଚଟାଣରେ ନଷ୍ଟ ହୋଇଯାଇଥିବା ପୁରୁଣା ପଥର ଓ ନଷ୍ଟ ହୋଇଯାଇଥିବା ଲୁହା ବିମ୍କୁ କଢାଯାଇ ନୂଆ ପଥର ଓ ବିମ୍ ଲଗାଯିବ ।
ସେପଟେ ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ମତ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଏଏସଆଇ ତାର କାମ ଆରମ୍ଭ କରିଛି । ରତ୍ନ ଭଣ୍ଡାରର କାନ୍ଥ ଓ ବୀମ୍ ସମସ୍ୟା ପରଖି ଆବଶ୍ୟକ ମରାମତି କରାଯିବ । ମରାମତି ସମୟରେ ଦର୍ଶନରେ କୌଣସି ବାଧା ଉପୁଜିବ ନାହିଁ । ୩ ମାସ ଭିତରେ ମରାମତି କାମ ସାରିବାକୁ ଏଏସଆଇ ଲକ୍ଷ୍ୟ ରଖିଛି । କିନ୍ତୁ ତା ପୂର୍ବରୁ କାମ ସାରିବାକୁ ଚେଷ୍ଟା କରାଯିବ । ଏହାପରେ ରତ୍ନ ଅଳଙ୍କାରର ଗଣତିମଣତି ହେବ । ଏହା ଓଡ଼ିଶାବାସୀଙ୍କ ପାଇଁ ଆମର ଉତ୍ତର ଦାୟିତ୍ୱ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।