ପାଳନ ହେଲା ଜାତୀୟ ହସ୍ତତନ୍ତ ଦିବସ। ଓଡ଼ିଶା ହସ୍ତତନ୍ତର ଅନ୍ଲାଇନ୍ ବ୍ୟବସାୟିକ ପ୍ଲାଟ୍ଫର୍ମ ‘ଆର୍ଟସ ଅଫ୍ ଉଇଭିଂ’ ତରଫରୁ ଅତି ଆକର୍ଷଣୀୟ ଏବଂ ନିଆରା ଭାବରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଛି।। ଏବର୍ଷ ‘ଆର୍ଟସ ଅଫ୍ ଉଇଭିଂ (ଏଓଡବ୍ଲ୍ୟୁ) ତାଙ୍କର ଓଡିଶା ହସ୍ତତନ୍ତ ସାମଗ୍ରୀକୁ ଏଆଇ (AI) ମଡେଲ୍ ମାଧ୍ୟମରେ ଦର୍ଶାଇବା ଆରମ୍ଭ କରିଛନ୍ତି, ଯାହା ଅତ୍ୟନ୍ତ କମ ଖର୍ଚ୍ଚ ଓ ତ୍ୱରିତ ଉପାୟରେ ଉତ୍ପାଦମାନଙ୍କୁ ବିଶ୍ୱସ୍ତରରେ ଉପସ୍ଥାପନ କରିବାରେ ସାହାଯ୍ୟ କରିଛି । ଏହି ମାଧ୍ୟମରେ ଓଡ଼ିଶା ହସ୍ତତନ୍ତକୁ ବିଦେଶୀ ଗ୍ରାହକଙ୍କ ସହ ସଂଯୁକ୍ତ କରାଯାଇପାରିଛି ।ହସ୍ତତନ୍ତ ଦିବସ ପାଳନ ଅବସରରେ ଏଓଡବ୍ଲ୍ୟୁ ପକ୍ଷରୁ ଏରି ସିଲ୍କର ପ୍ରଚାରପ୍ରସାର ପାଇଁ ପଦକ୍ଷେପ ନିଆଯାଇଛି । ଏରି ସିଲ୍କକୁ ଅହିଂସା ରେସମ ବା କରୁଣା ରେସମ ବି କୁହାଯାଏ । ପାରମ୍ପରିକ ରେସମ ଉତ୍ପାଦନରେ ରେସମ କୀଟକୁ ଜୀବନ୍ତ ଅବସ୍ଥାରେ ସିଝେଇ ଦିଆଯାଏ । କିନ୍ତୁ ଏରି ରେସମ ଉତ୍ପାଦନରେ ଏହି କୀଟକୁ କୌଣସି ହାନି ନ କରାଯାଇ, ତାକୁ ପୂର୍ଣ୍ଣ ଜୀବନଚକ୍ର ସମାପ୍ତ କରି ବାହାରିବା ପରେ ରେସମକୁ ତିଆରି କରାଯାଏ । ଏହି ମାନବିକ ସମ୍ବେଦନ ଓ ଅହିଂସାର ଧାରାକୁ ଏକ ନୀତିଗତ ବିକଳ୍ପ ହିସାବରେ ବିଶ୍ଵରେ ପ୍ରଚାର କରାଯାଉଛି । ଜାତୀୟ ହସ୍ତତନ୍ତ ଦିବସ ଅବସରରେ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଏକ ଉତ୍ସବରେ ଏଓଡବ୍ଲୁ୍ୟ ପକ୍ଷରୁ ପ୍ରଥମ ୫୦ ଜଣ ହସ୍ତତନ୍ତପ୍ରେମୀ ଗ୍ରାହକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହାସହ ସେମାନଙ୍କ ସହଯୋଗ ପାଇଁ ସଂଗଠନର ଅନ୍ୟତମ ସହ-ପ୍ରତିଷ୍ଠାତା ଡ. ସୁଜାତା ଦାସ କୃତଜ୍ଞତା ଅର୍ପଣ କରିଥିଲେ। ଏଓଡବ୍ଲୁ୍ୟ ସହ ଯୋଡ଼ି ହୋଇ ଓଡ଼ିଶା ହସ୍ତତନ୍ତର ପ୍ରଚାରପ୍ରସାରରେ ବିଶେଷ ଭୂମିକା ନିର୍ବାହ କରିଥିବା ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶିକା ସୁଚେତା ପ୍ରିୟଦର୍ଶିନୀଙ୍କୁ କଳାହାଣ୍ଡିର ହବସପୁରୀ ଶାଢ଼ି ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।