ଶ୍ରୀମନ୍ଦିର ଆଲୋକୀକରଣ ହେବ। ଏଥିପାଇଁ ଖର୍ଚ୍ଚ ହେବ ୧୭ କୋଟି ୧୨ ଲକ୍ଷ।ଏହି ଅର୍ଥ ଅବଢ଼ା ଯୋଜନାରେ ଖର୍ଚ୍ଚ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସରକାରଙ୍କୁ ଅନୁରୋଧ କରିବ। ଭାରତୀୟ ଏଏସ୍ଆଇ ପ୍ରସ୍ତୁତ କରିଥିବା ଡିପିଆର୍କୁ ମୋହର ମାରିଛି ପରିଚାଳନା କମିଟି ।ସୂଚନାମୁତାବକ , ୨୦୨୧ ମସିହାରେ ଏଏସ୍ଆଇ ଶ୍ରୀମନ୍ଦିର ଭିତରେ ‘ଫେକ୍ଡ ଇଲୁମିନେସନ୍ ପ୍ରୋଜେକ୍ଟ’ ପ୍ରସ୍ତୁତି କରିଥିଲା। ଏଥିରେ ଅଁଳାବେଢ଼ାଠାରୁ ଆରମ୍ଭ କରି ମେଘନାଦ ପାଚେରି ଝଲସୁଥିଲା। ଦାମୀ ଥ୍ରି-ଡି ଲାଇଟ୍ ସଂଯୋଗ କରାଯାଇଥିଲା। ଏଥିପାଇଁ ଦେଢ଼କୋଟି ବ୍ୟୟବରାଦ ହୋଇଥିଲା। କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରାଳୟ ଅଧୀନରେ ଥିବା ମିନିରତ୍ନ କଂପାନି ‘ୱାପ୍କୋସ୍’କୁ ଏହି କାମର ଠିକା ଦିଆଯାଇଥିଲା।ସେପଟେ ଗୁଣ୍ଡିଚା ମନ୍ଦିର ସ୍ଥିତି ଅନୁଧ୍ୟାନ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତିକ୍ରିୟା ରଖିଛନ୍ତି । ଆସନ୍ତା ୧ ତାରିଖରୁ ପରୀକ୍ଷାମୂଳକ ଭାବେ ଖୋଲିବ ଗୁଣ୍ଡିଚା ମନ୍ଦିର । ଜଣେ ଭକ୍ତଙ୍କ ପିଛା ଟିକେଟର ମୂଲ୍ୟ ୧୦ ଟଙ୍କା ରହିବ । ୫ ବର୍ଷରୁ କମ୍ ଓ ୮୦ ବର୍ଷରୁ ଅଧିକ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ପ୍ରବେଶ ନିଶୁଳ୍କ । ପ୍ରତିଦିନ ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ଖୋଲିବ ଗୁଣ୍ଡିଚା ମନ୍ଦିର । କେବଳ ଶୀତଦିନେ ନଭେମ୍ବରରୁ ଫେବୃଆରୀ ମାସ ସକାଳ ୬ରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲାଯିବ ଗୁଣ୍ଡିଚା ମନ୍ଦିର । ସିଂହଦ୍ଵାର ଦେଇ ଭକ୍ତଙ୍କ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା ରହିବ ବୋଲି ଅରବିନ୍ଦ ପାଢ଼ୀ କହିଛନ୍ତି ।
