ବଜାରରେ ଆଳୁ ଦର ଆକାଶ ଛୁଆଁ। ସରକାରଙ୍କ ହସ୍ତକ୍ଷେପ ପରେ ବି ଦରରେ ଲଗାମ ଲାଗୁନି। କେବେ ସ୍ବାଭାବିକ ହେବ ସ୍ଥିତି ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଖାଉଟି। ରାଜଧାନୀରେ ୬୦ ଟଙ୍କାରେ ବିକ୍ରି ହେଉଛି ଆଳୁ। ତେବେ ନାଫେଡ ମାଧ୍ୟମରେ ଆଳୁ କିଣି ଖାଉଟିଙ୍କୁ ଯୋଗାଇବେ ରାଜ୍ୟ ସରକାର। ଏନେଇ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗୁରୁବାର ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କେଜି ପିଛା ଆଳୁ ୩୦ ଟଙ୍କାରେ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ୟୁପିରୁ ୩୦୦ ମେଟ୍ରିକ ଟନ ଆଳୁ ପାଇଁ ଅର୍ଡର ଦିଆଯାଇଛି। ସପ୍ତାହକ ମଧ୍ୟରେ ରାଜ୍ୟରେ ଉପଲବ୍ଧ ହେବ। ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ମିଳିବ।
ଏସବୁ ସହରର ସରକାରୀ ଖୁଚୁରା ଦୋକାନରେ ଉପଲବ୍ଧ ଆଳୁ ହେବ ବୋଲି ମନ୍ତ୍ରୀ କହିଛନ୍ତି। କିନ୍ତୁ ଉତ୍ତରପ୍ରଦେଶ ଆଳୁର ଗ୍ରହଣୀୟତା ନାହିଁ କି ବେଶୀ ଦିନ ରହିପାରୁନି। ତେଣୁ ଆଳୁ ସେଠୁ ଆଣିବାକୁ ପସନ୍ଦ କରୁନାହାନ୍ତି ଗୋଦାମ ମାଲିକ। ବଜାରରେ ଆଳୁର ମୂଲ୍ୟ ବୃଦ୍ଧି ସହ ଆଳୁ ବଜାରରୁ ଉଭାନ ହେବାରେ ଲାଗିଛି। ପ୍ରତ୍ୟେକ ଦିନ ୫ ହଜାର ଟନ ଆଳୁର ଆବଶ୍ୟକତା ପଡୁଥିବା ବେଳେ ଏବେ ଯଥେଷ୍ଠ ଆଳୁ ଗୋଦାମରେ ମହଜୁଦ ନାହିଁ।