ଆଳୁ ମିଶନ୍ ସଫଳ କରିବା ପାଇଁ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର। ଆଳୁ ଚାଷକୁ ସଫଳ କରିବା ପାଇଁ କୋଲକାତା ଗଲା ଏକ ଟିମ୍। ଏହି ଟିମ୍ ପଶ୍ଚିମବଙ୍ଗରେ ଥିବା ଆଳୁ ଷ୍ଟୋରେଜ୍ ସିଷ୍ଟମ୍କୁ ଅନୁଧ୍ୟାନ କରିବ। ତେବେ ଆଳୁ ମିସନ ଅବଧିକୁ ୩ ବର୍ଷ ବୃଦ୍ଧି କରିଛନ୍ତି। ଏଥି ସହିତ ରାଜ୍ୟରେ ଆଳୁ ଉତ୍ପାଦନ ବଢ଼ାଇବା ପାଇଁ ଉତ୍ତରପ୍ରଦେଶ ଏବଂ ପଞ୍ଜାବରୁ ବିହନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଚାଷୀଙ୍କୁ ଆଳୁ ବିହନ ଯୋଗାଇ ଦିଆଯିବ।ଶ୍ରୀ ସିଂହଦେଓ କହିଛନ୍ତି, ଉତ୍ତରପ୍ରଦେଶ ଏବଂ ପଞ୍ଜାବରୁ ଆଳୁ ବିହନ ଆସିବ। ହାଇବ୍ରିଡ଼ ଶୀତଳ ଭଣ୍ଡାର ପାଇଁ ପିପିପି ମୋଡ଼ରେ ଲୋକଙ୍କୁ ପ୍ରସ୍ତାବ ଦିଆଯାଇଛି। ସବୁ ସବ ଡିଭିଜନରେ ଶୀତଳ ଭଣ୍ଡାର ନିର୍ମାଣ ହେବ। ଅନେକ ଲୋକ ଆବେଦନ ବି କରିଛନ୍ତି। ନୂଆ ଟେକ୍ନୋଲୋଜି ଭିନ୍ନଭିନ୍ନ ତାପମାତ୍ରାରେ ବିଭିନ୍ନ ପରିବା କିଭଳି ରଖାଯାଇ ପାରିବ ସେ ନେଇ ବିଭାଗ ତର୍ଜମା କରୁଛି। ଶୀତଳଭଣ୍ଡାରର ଭଡ଼ା କେମିତି ଅଧିକ ନହେବ ସେ ନେଇ ବି ତର୍ଜମା ହେଉଛି। ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଶୀତଳଭଣ୍ଡାର ପାଇଁ ବିଧିବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।