କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସସି) ବୁଧବାର ଏହାର ନିୟମରେ ବଡ଼ ପରିବର୍ତ୍ତନ କରିଛି । କେଉଁ ପରୀକ୍ଷାର୍ଥୀ କେତେଥର ୟୁପିଏସସି ସିଭିଲ୍ ସର୍ଭିସ୍ ଏଗଜାମ୍ (ସିଏସଇ) ଦେଇପାରିବେ ଏବଂ ସେମାନଙ୍କ ଯୋଗ୍ୟତା କ’ଣ ରହିବ ସେ ବାବଦରେ ଘୋଷଣା କରାଯାଇଛି । ଏଥିସହ ୟୁପିଏସସି-୨୦୨୬ ପରୀକ୍ଷା ଲାଗି ବିଜ୍ଞପ୍ତି ଜାରି ହୋଇଛି ।ବିଶେଷ କରି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍), ଭାରତୀୟ ବୈଦେଶିକ ସେବା (ଆଇଏଫ୍ଏସ୍) ଏବଂ ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀଙ୍କ ପାଇଁ ଏହି ନୂତନ ନିୟମ ଅଧିକ ସ୍ପଷ୍ଟ ହୋଇଛି।ସିଏସଇ-୨୦୨୬ ମାଧ୍ୟମରେ ଆଇଏଏସ୍, ଆଇଏଫଏସ୍, ଆଇପିଏସ୍, ଆଇଆରଏସ୍ ଓ ଅନ୍ୟ ଗ୍ରୁପ୍ ଏ’ ଏବଂ ଗ୍ରୁପ୍ ବି’ ସେବା ସମେତ ବିଭିନ୍ନ ସିଭିଲ ସେବାରେ ପ୍ରାୟ ୯୩୩ ଖାଲି ପଦ ପୂରଣ କରାଯିବ । ସେଥିମଧ୍ୟରୁ ୩୩ ଖାଲି ପଦବୀ ଦିବ୍ୟାଙ୍ଗ ଆଶାୟୀଙ୍କ ପାଇଁ ସଂରକ୍ଷିତ ରହିଛି । ନୂଆ ନିୟମ ଅନୁସାରେ, ପୂର୍ବ ପରୀକ୍ଷା ଆଧାରରେ ଆଇଏଏସ୍ କିମ୍ବା ଆଇଏଫଏସ୍ ପଦରେ କୌଣସି ପ୍ରାର୍ଥୀ ନିଯୁକ୍ତି ପାଇଥିଲେ କିମ୍ବା ସେହି ପଦରେ ରହିଥିଲେ ସେମାନେ ସିଏସଇ-୨୦୨୬ ପରୀକ୍ଷା ଦେବା ଲାଗି ଯୋଗ୍ୟ ହେବେ ନାହିଁ । ଯଦି ଆଇଏଏସ୍ କିମ୍ବା ଆଇଏଫଏସ୍ ପ୍ରାର୍ଥୀ ଏପରି ନିଯୁକ୍ତି ସିଏସ୍ଇ-୨୦୨୬ ପ୍ରିଲିମ୍ସ ପରୀକ୍ଷା ପରେ ଏବଂ ମେନ୍ସ ପରୀକ୍ଷା ପୂର୍ବରୁ ପାଆନ୍ତି ତେବେ ସେହି ପ୍ରାର୍ଥୀଙ୍କୁ ମେନ୍ସ ପରୀକ୍ଷାରେ ସାମିଲ ହେବାକୁ ଦିଆଯିବ ନାହିଁ । ଯଦି ନିଯୁକ୍ତି ମେନ୍ସ ପରୀକ୍ଷା ଆରମ୍ଭ ହେବା ପରେ ଏବଂ ଫଳାଫଳ ଘୋଷଣା ହେବା ପୂର୍ବରୁ ହୁଏ ତେବେ ପ୍ରାର୍ଥୀଙ୍କୁ ସିଏସଇ-୨୦୨୬ ଆଧାରରେ କୌଣସି ସେବାରେ ନିଯୁକ୍ତି ମିଳିପାରିବ ନାହିଁ । ୟୁପିଏସ୍ସି ସ୍ପଷ୍ଟ କରିଛି ଯେ ଯେଉଁ ପ୍ରାର୍ଥୀମାନେ ସିଏସ୍ଇ ୨୦୨୬ ମାଧ୍ୟମରେ କୌଣସି ସେବାରେ ନିଯୁକ୍ତି ପାଇବେ, ସେମାନଙ୍କୁ ରୢାଙ୍କ ସୁଧାରିବା ପାଇଁ ସିଏସ୍ଇ ୨୦୨୭ରେ କେବଳ ଗୋଟିଏ ଥର ସୁଯୋଗ ମିଳିବ। ଏହି ସୁଯୋଗ ବ୍ୟବହାର କରିବା ପରେ ସେମାନେ ଚାକିରିରୁ ଇସ୍ତଫା ନ ଦେଇ ୨୦୨୮ କିମ୍ବା ତା’ପରବର୍ତ୍ତୀ କୌଣସି ପରୀକ୍ଷାରେ ବସିପାରିବେ ନାହିଁ। ୨୦୨୫ କିମ୍ବା ତା’ ପୂର୍ବ ବ୍ୟାଚ୍ର ଅଧିକାରୀଙ୍କ ପାଇଁ ୨୦୨୬ ଓ ୨୦୨୭ ପରୀକ୍ଷାକୁ ଶେଷ ସୁଯୋଗ ଭାବେ ଘୋଷଣା କରାଯାଇଛି।
