ରାତି ପାହିଲେ ଆରମ୍ଭ ହେବ ବହୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି। ନୀତିନିର୍ଘଣ୍ଟ ଅନୁସାରେ ରାତ୍ର ୨ଟାରୁ ଦ୍ୱାର ଫିଟିବ। ଦ୍ୱିପହର ଧୂପ ଓ ଦ୍ୱିତୀୟ ଭୋଗମଣ୍ଡପ ଶେଷ ପରେ ଦିନ ପ୍ରାୟ ୧୨ଟା ୩୦ ବା ୧ଟାରୁ ଆରମ୍ଭ ହେବ ମରାମତି। ସେପ୍ଟେମ୍ବର ୨୧ ଓ ୨୨ ତାରିଖରେ NGRI ଓ ASI ପକ୍ଷରୁ ହୋଇଥିବା ଜିପିଆର୍ ସର୍ଭେ ରିପୋର୍ଟ ଆଧାରରେ ଓ ରାଜ୍ୟ ସରକାରଙ୍କ ଏସଓପି ଭିତ୍ତିରେ ହେବ ମରାମତି କାମ। ଉପସ୍ଥିତ ରହିବେ ଏଏସ୍ଆଇର ସଂରକ୍ଷଣ ଓ ରାସାୟନିକ ଆଦି ବିଭାଗର ବରିଷ୍ଠ ବୈଷୟିକ ବିଶେଷଜ୍ଞ। ଏଥିସହ ଡାକ୍ତରୀ ଟିମ, ଅଗ୍ନିଶମ କର୍ମଚାରୀ ଓ ASIର ସ୍ୱତନ୍ତ୍ର ଟିମ୍ ଉପସ୍ଥିତ ରହିବେ।
ରତ୍ନଭଣ୍ଡାର ମରାମତି ସମୟରେ ଏ ଏସ୍ ଆଇ ପକ୍ଷରୁ କାମ କରୁଥିବା ଶ୍ରମିକ ଓ ଅଧିକାରୀଙ୍କୁ ପରିଚୟ ପତ୍ର ଦିଆଯିବ । ସେମାନେ ପରିଚୟ ପତ୍ର ଦେଖାଇ ଭିତରକୁ ପ୍ରବେଶ କରି କାମ କରିବେ। ନୀତିକାନ୍ତି ଯେପରି ପ୍ରଭାବିତ ହେବନାହିଁ ଓ ଦର୍ଶନ ଶୃଙ୍ଖଳିତ ହେବ, ତା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ । ପ୍ରତିଦିନ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଭିତରେ ରତ୍ନଭଣ୍ଡାରର ମରାମତି କରାଯିବ ବୋଲି କହିଛନ୍ତି ପୁରୀ ଏସ୍ ପି ।