ଆସନ୍ତାକାଲିଠୁ ‘ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ । ଓଡ଼ିଆ ସହ ୯ଟି ଭାଷାର ଚଳଚ୍ଚିତ୍ରର ହେବ ପ୍ରଦର୍ଶନ ।୪ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବଲିଉଡ ଓ ଓଲିଉଡ ସିନେମାର ପ୍ରମୁଖ ବ୍ୟକ୍ତିତ୍ୱ । ପ୍ରତିଦିନ ସକାଳ ୧୦ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ଚଳଚ୍ଚିତ୍ରର ସ୍କ୍ରିନିଂ ହେବ । ଏହି କାର୍ଯ୍ୟକ୍ରମ ଓଡ଼ିଆ ସିନେପ୍ରେମୀଙ୍କ ପାଇଁ ଖୋଲା ରହିବ ।ଭୁବନେଶ୍ୱର ଫିଲ୍ମ ସର୍କଲ ପକ୍ଷରୁ ୨୦୨୪ରେ ’ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ର ପ୍ରଥମ ସଂସ୍କରଣ କରାଯାଇଥିଲା । ଏହାକୁ ଦର୍ଶକୀୟ ଆଦୃତି ମିଳିବା ପରେ ଚଳିତବର୍ଷ ଏହାର ଦ୍ୱିତୀୟ ସଂସ୍କରଣ କରାଯାଉଛି । ଜୁନ୍ ୬ ତାରିଖ ସନ୍ଧ୍ୟା ୭ଟାରେ ’ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ର ଉଦଘାଟନୀ କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମର ପ୍ରଥମ ଦିନ ଅର୍ଥାତ ୬ ତାରିଖ, ଉଦଘାଟନୀ କାର୍ଯ୍ୟକ୍ରମ ଦିନ ’ମାଟିର ମଣିଷ’, ’କା’ ଏବଂ ’ଭକ୍ତ ସାଲବେଗ’ ଭଳି ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ । ୭ ତାରିଖରେ ପାନୋରମା ପାଇଁ ମନୋନୀତ ଏବଂ ଜାତୀୟ ତଥା ରାଜ୍ୟରେ ଶ୍ରେଷ୍ଠ ସିନେମା ଭାବେ ପୁରସ୍କୃତ ’କାଲିର ଅତୀତ’ ସ୍କ୍ରିନିଂ ହେବ। ସେହିପରି ୮ ତାରିଖରେ ’କ୍ରାନ୍ତିଧାରା’ ଏବଂ ୯ ତାରିଖରେ ’ଯାଯାବର’, ’ନିର୍ବାଚନ’, ’କନକଲତା’ ଏବଂ ’ଅଦିନ ମେଘ’ ଫିଲ୍ମ ପ୍ରଦର୍ଶନ କରାଯିବ । ଓଡ଼ିଆ ସିନେମା ଛଡ଼ା ଏହି ଉତ୍ସବରେ କେତନ ମେହେଟ୍ଟାଙ୍କ ନିର୍ଦ୍ଦେଶିତ ଗୁଜୁରାଟୀ ଚଳଚ୍ଚିତ୍ର ’ଭବାନୀ ଭବାଇ’, ଗିରିଶ କସରଓ୍ୱାଲିଙ୍କ ନିର୍ଦ୍ଦେଶିତ କନ୍ନଡ଼ ଚଳଚ୍ଚିତ୍ର ’ଘଟଶ୍ରଦ୍ଧା’, ଊର୍ଦ୍ଦୁ ଚଳଚ୍ଚତ୍ର ’ହମିଦ୍’, ମରାଠୀ ସିନେମା ’ଶ୍ୱାସ’, ଛତିଶଗଡ଼ି ଫିଲ୍ମ ’ଭୁଲନା ଦ ମେଜ୍’ ପ୍ରକାଶ ଝାଙ୍କ ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର ’ଦାମୁଲ’ ଏବଂ ବବି ଶର୍ମା ବରୁଆଙ୍କ ନିର୍ଦ୍ଦେଶିତ ତିଓ୍ୱା ଭାଷାର ଚଳଚ୍ଚିତ୍ର ’ସିକା ଲସାଲ’ ଆଦି ପ୍ରଦର୍ଶନ କରାଯିବ।ସେହିପରି ଋତିକ ଘଟକଙ୍କ ନିର୍ଦ୍ଦେଶିତ ବଙ୍ଗଳା ଚଳଚ୍ଚିତ୍ର ’ମେଘେ ଘାକା ତାରା’ ଏବଂ ଶ୍ୟାମ ବେନଗଲଙ୍କ ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର ’ଅଙ୍କୁର’ ଫିଲ୍ମ ସ୍କ୍ରିନିଂ ହେବ ।
