କେନ୍ଦ୍ର ନିର୍ବାଚନ ଅଧିକାରୀ ଡ. ବି. ଲକ୍ଷ୍ମଣଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ଜୁନ୍ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୩ ଦିନ ଧରି ହେବାକୁ ଥିବା ଏହି ନିର୍ବାଚନ ପ୍ରକ୍ରିୟା ଜୁଲାଇ ୧ ସୁଦ୍ଧା ଶେଷ ହେବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି ।ବିଜେପି ରାଜ୍ୟ ସଭାପତି ଚୟନରେ ବିଳମ୍ବ ହେଉଛି। ଏହି ପ୍ରସଙ୍ଗରେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଗତ ଫେବ୍ରୁଆରି ୨୫ ତାରିଖରେ କହିଥିଲେ, ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ବିଜେପି ରାଜ୍ୟ ସଭାପତି ନାଁ ହେବ ଘୋଷଣା କରାଯିବ। ସେହି ସମୟରେ ସେ କହିଥିଲେ, ରାଜ୍ୟ ବିଜେପି ସଭାପତି କିଏ ହେବେ, ଏପର୍ଯ୍ୟନ୍ତ ଦିଲ୍ଲୀରୁ କୌଣସି ନିର୍ଦ୍ଦେଶ ଆସିନାହିଁ। ଏନେଇ ବିଜେପି ଜାତୀୟ ନେତୃତ୍ବ ଶୀଘ୍ର ନିଷ୍ପତ୍ତି ନେବେ। ବିଭିନ୍ନ ବୋର୍ଡ ଏବଂ ନିଗମର ଅଧ୍ୟକ୍ଷ ନିଯୁକ୍ତି ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏମାନଙ୍କ ନାମ ଯଥା ସମୟରେ ଘୋଷଣା କରାଯିବ।
ଖୁବ୍ ଶୀଘ୍ର ଓଡ଼ିଶା ବିଜେପିର ସାଙ୍ଗଠନିକ ଅଦଳବଦଳ ହେବ ବୋଲି ଆଶା କରାଯାଉଛି।ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ, ଏହି ନିର୍ବାଚନ ପ୍ରକ୍ରିୟାର ସୁପରିଚାଳନା ଓ ତଦାରଖ କରିବା ପାଇଁ କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ତରଫରୁ ବିହାର ସାଂସଦ ଶ୍ରୀ ସଞ୍ଜୟ ଜୟସ୍ୱାଲଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଶ୍ରୀ ଜୟସ୍ୱାଲ ଓଡ଼ିଶା ଗସ୍ତ କରିବେ ବୋଲି ସୂଚନା ପ୍ରାପ୍ତ ହୋଇଛି ।