ରାଜ୍ୟରେ ଗତ ୮ ବର୍ଷ ହେବ ଛାତ୍ରସଂସଦ ନିର୍ବାଚନ ହୋଇନାହିଁ । ଯାହାକୁ ନେଇ ବିଭିନ୍ନ ଛାତ୍ର ସଙ୍ଗଠନଗୁଡ଼ିକ ମଧ୍ୟରେ ଦୀର୍ଘ ଦିନ ହେବ ଅସନ୍ତୋଷ କୁହୁଳୁଥିଲା । ବିଜେପି ସରକାର ଗଠନ କଲେ ଛାତ୍ର ସଂସଦ ନିର୍ବାଚନ କରିବ ବୋଲି କହିଥିଲା । ତେଣୁ ଚଳିତବର୍ଷ ଦଶହରା ପୂର୍ବରୁ ଛାତ୍ରସଂସଦ ନିର୍ବାଚନ କରିବାକୁ ସରକାର ଯୋଜନା କରୁଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିବା ପରେ ଏବେ ଏହାକୁ ନେଇ ଜୋର୍ ଧରିଛି ରାଜ୍ୟ ରାଜନୀତି । ପୁଣି ଛାତ୍ରନେତାମାନେ କ୍ୟାମ୍ପସରେ ଆଡ୍ଡା କଲେଣି। ନାମ ଲେଖିବା ପାଇଁ ଆସୁଥିବା ଛାତ୍ରଛାତ୍ରୀମାନଙ୍କୁ ଆବେଦନ କରିବାଠୁ ଆରମ୍ଭ କରି ପ୍ରବେଶିକା ପରୀକ୍ଷା ପର୍ଯ୍ୟନ୍ତ ସବୁଥିରେ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି ଛାତ୍ରନେତା । ଆସନ୍ତା ୨୫ ତାରିଖରେ ବିଜେପି ପକ୍ଷରୁ ସମ୍ୱିଧାନ ହତ୍ୟା ଦିବସ ପାଳନ କରିବାକୁ ଡାକରା ଦିଆଯାଇଛି । ସେହିଦିନ ବିଜେଡି ରାଜ୍ୟବ୍ୟାପୀ ଛାତ୍ର ଧର୍ମଘଟ କରିବାକୁ ଡାକରା ଦେଇଛି । ଶାସନରୁ ଯିବା ପରେ ବିଜେଡି ବର୍ଷେ ପରେ ପ୍ରଥମ ଥର ସିଧା ଲଢେଇ ପାଇଁ ଆହ୍ୱାନ ଦେଇଛି । ଯାହାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇ ପଡ଼ିଛି ।
