ଭୁବନେଶ୍ୱର,(ଓଡିଶା ଦର୍ପଣ): ରାଜ୍ୟ ନିର୍ବାଚନ କମିଶନ ଆସନ୍ତା ପୌର ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଥିବା ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀମାନଙ୍କ ନିମନ୍ତେ ଗାଡ଼ିର ବ୍ୟବହାର ଓ ନିର୍ବାଚନୀ ଖର୍ଚ୍ଚ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପ୍ରତ୍ୟକ ୱାର୍ଡର କାଉନସିଲର/କର୍ପୋରେଟର ପଦବୀ ନିମନ୍ତେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ ତିନିଚକିଆ ଓ ଚାରିଚକିଆ ଗାଡ଼ିକୁ ମିଶାଇ ସର୍ବାଧିକ ଦୁଇଟି ଗାଡ଼ି ବ୍ୟବହାର କରିପାରିବେ । ବିଜ୍ଞାପିତ ଅଞ୍ଚଳ ପରିଷଦ/ମୁନିସିପାଲିଟି ଅଞ୍ଚଳ ମଧ୍ୟରେ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ ତିନିଚକିଆ ଓ ଚାରିଚକିଆ ଗାଡ଼ି ମିଶାଇ ସର୍ବାଧିକ ଚାରୋଟି ଗାଡ଼ି ବ୍ୟବହାର କରିପାରିବେ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସେହିପରି ମହାନଗର ନିଗମ ଅଞ୍ଚଳ ମଧ୍ୟରେ ମେୟର ପଦବୀ ଲାଗି ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୬ଟି (ତିନିଚକିଆ ଓ ଚାରିଚକିଆ ଯାନ ସହ) ବ୍ୟବହାର କରିପାରିବେ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ସଂପୃକ୍ତ ରାଜନୈତିକ ଦଳମାନେ ପ୍ରତ୍ୟେକ ମହାନଗର ନିଗମ ଓ ମୁନିସିପାଲିଟି ଅଞ୍ଚଳ ପାଇଁ ନିର୍ବାଚନ କାର୍ଯ୍ୟରେଦୁଇଟି ଚାରିଚକିଆ ଗାଡ଼ି ବ୍ୟବହାର କରିପାରିବେ ।
ପୌର ନିର୍ବାଚନରେ ପ୍ରାର୍ଥୀମାନେ ଓଡ଼ିଶା ମୁନିସିପାଲିଟି ଅଧିନିୟମ ୧୯୫୦ର ଧାରା ୧୭ (କ)ର ଉପଧାରା (i) ଅନୁସାରେ ୫୦ ହଜାର ଜନସଂଖ୍ୟାବିଶିଷ୍ଟ ବିଜ୍ଞାପିତ ଅଞ୍ଚଳ ପରିଷଦ/ମୁନିସିପାଲିଟି ଅଞ୍ଚଳ ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା କାଉନ୍ସିଲର/କର୍ପୋରେଟର ପ୍ରାର୍ଥୀମାନେ ସର୍ବାଧିକ ୫୦ ହଜାର ଟଙ୍କା ଓ ଅଧ୍ୟକ୍ଷ ପଦବୀ ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ।
୫୦ ହଜାରରୁ ଏକ ଲକ୍ଷ ଜନସଂଖ୍ୟାବିଶିଷ୍ଟ ମୁନିସିପାଲିଟି ଅଞ୍ଚଳରେ କାଉନ୍ସିଲର/କର୍ପୋରେଟର ପଦବୀ ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୭୫ ହଜାର ଟଙ୍କା ଓ ଅଧ୍ୟକ୍ଷ/ମେୟର ପଦବୀ ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୩ ଲକ୍ଷ ଟଙ୍କା ନିର୍ବାଚନରେ ଖର୍ଚ୍ଚ କରିପାରିବେ । ସେହିପରି ଏକ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ମୁନିସିପାଲିଟି ଅଞ୍ଚଳରେ କାଉନ୍ସିଲର/କର୍ପୋରେଟର ପଦବୀ ନିମନ୍ତେ ପ୍ରାର୍ଥୀମାନେ ସର୍ବାଧିକ ୧ ଲକ୍ଷ ଓ ଅଧ୍ୟକ୍ଷ/ମେୟର ପଦବୀ ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୫ ଲକ୍ଷ ଟଙ୍କା ନିର୍ବାଚନରେ ଖର୍ଚ୍ଚ କରିପାରିବେ ।ସେହିପରି ମହାନଗର ନିଗମର କର୍ପୋରେଟର ପଦବୀ ନିମନ୍ତେ ପ୍ରାର୍ଥୀମାନେ ସର୍ବାଧିକ ୨ ଲକ୍ଷ ଓ ମେୟର ପଦବୀ ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୧୨ ଲକ୍ଷ ଟଙ୍କା ନିର୍ବାଚନୀ ଖର୍ଚ୍ଚ କରିପାରିବେ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।