ଆସନ୍ତା ମେ’ ପହିଲାରୁ ରାଜ୍ୟରେ ରବି ଋତୁ ପାଇଁ ଧାନ ସଂଗ୍ରହ ହେବ। ମେ’ ପହିଲାରୁ ଏହି ଧାନକିଣା ପ୍ରକ୍ରିୟା ଆରମ୍ଭ ହୋଇ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥି ନିମନ୍ତେ ଚଳିତ ମାସରୁ ଚାଷୀମାନଙ୍କର ପଞ୍ଜିକରଣ ଆରମ୍ଭ କରାଯିବ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ । ସେହିପରି, କ୍ରୟ ହୋଇଥିବା ଧାନରୁ ଉତ୍ପାଦିତ ବଳକା ଚାଉଳ ଭାରତୀୟ ଖାଦ୍ୟ ନିଗମକୁ ଯୋଗାଇବ |ତେବେ ରାଜ୍ୟରେ ଜାରି ଖରିଫ ଧାନକିଣା ଋତୁରେ ଏ ପର୍ଯ୍ୟନ୍ତ ପ୍ରାୟ ୧୫ ଲକ୍ଷ ୬୫ ହଜାର ଚାଷୀଙ୍କ ଠାରୁ ୭୦ ଲକ୍ଷ ମେଟ୍ରିକ ଟନ ଧାନ କିଣାଯିବା ସହ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ପାଖାପାଖି ୧୫ ହଜାର ୬୧୩ କୋଟି ଟଙ୍କା ଓ ଇନପୁଟ ସହାୟତା ଭାବେ ୫୪୩୦ କୋଟି ଟଙ୍କା ଚାଷୀ ମାନଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ, ପିଡିଏସ ସହିତ ବାଜରା ଭଳି ପୁଷ୍ଟିକର ଉତ୍ପାଦ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇବା ପାଇଁ ପାଇଲଟ୍ ଭିତ୍ତିରେ ମନୋନୀତ ୩୦ଟି ଏଫପିଏସକୁ ଜନ-ପୋଷଣ କେନ୍ଦ୍ର ଭାବରେ ରୂପାନ୍ତରିତ କରାଯିବ। ଏଥିପାଇଁ, ଏକ ଦଳ ଅନ୍ୟ ରାଜ୍ୟର ଜନ-ପୋଷଣ କେନ୍ଦ୍ରଗୁଡ଼ିକୁ ପରିଦର୍ଶନ କରି ସେମାନଙ୍କର କାର୍ଯ୍ୟକାରିତା ବିଷୟରେ ପ୍ରତ୍ୟକ୍ଷ ସୂଚନା ହାସଲ କରିବେ।
