ଆସନ୍ତା ୧୮ ତାରିଖରୁ +୨ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଏକା ସମୟରେ ହେବ। ଆସନ୍ତା ୧୨ରୁ ୧୫ ତାରିଖ ମଧ୍ୟରେ ହବ୍ଗୁଡ଼ିକୁ ପ୍ରଶ୍ନପତ୍ର ପଠାଯିବ।
ସେହିପରି ପରୀକ୍ଷା ସରିବା ମାତ୍ରେ ଖାତାଦେଖା ଆରମ୍ଭ ହେବ। ଅନ୍ଲାଇନ୍ ମୂଲ୍ୟାୟନକୁ ଏଥର ଗୁରୁତ୍ୱ ଦେଉଛି ପରିଷଦ। ବିଶେଷକରି କଳା ବିଭାଗର ଓଡ଼ିଆ ଓ ଇଂରାଜୀ ବିଷୟର ଖାତାଦେଖା ବହୁ ବିଳମ୍ବ ହୋଇଥାଏ। ତେଣୁ ପ୍ରଥମଥର ଏହାକୁ ଅନ୍ଲାଇନ୍ ମୂଲ୍ୟାଙ୍କନ କରିବା ପାଇଁ ପରିଷଦ ପ୍ରସ୍ତୁତି କରିଛି।ଜିଲ୍ଲାଗୁଡ଼ିକରେ ଥିବା ହବ୍କୁ ପ୍ରଥମେ ପ୍ରଶ୍ନପତ୍ର ପଠାଯିବ। ସ୍ୱତନ୍ତ୍ର ଗାଡ଼ି, ସୁରକ୍ଷା କର୍ମୀ ଓ ପରିଷଦ କର୍ମଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଶ୍ନପତ୍ର ପଠାଯିବ। ପରୀକ୍ଷା କେନ୍ଦ୍ରରେ କେତେ ସଂଖ୍ୟକ ପ୍ରଶ୍ନପତ୍ର ଆବଶ୍ୟକ ରହିଛି, ସେ ସମ୍ପର୍କରେ ଜଣାଇବାକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି।ଚଳିତ ବର୍ଷ ମୋଟ୍ ୧୨୭୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ରେଗୁଲାର ଓ ଏକ୍ସ ରେଗୁଲାର ପିଲାଙ୍କୁ ମିଶାଇ ମୋଟ୍ ୩ଲକ୍ଷ ୯୩ ହଜାର ୬୧୮ ଜଣ ପିଲା ଫର୍ମ ପୂରଣ କରିଛନ୍ତି।