ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବର୍ଷା ହୋଇଛି। ମଙ୍ଗଳବାର ସକାଳ ସାଢେ ୮ଟାରୁ ସନ୍ଧ୍ୟା ସାଢେ ୫ଟା ମଧ୍ୟରେ ନୟାଗଡରେ ୧୫.୨ ମି.ମି.ବର୍ଷା ରେକର୍ଡ ହୋଇଥିବାବେଳେ ଢେଙ୍କାନାଳ, ଦାରିଙ୍ଗବାଡି, ଫୁଲବାଣୀ, କୋରାପୁଟ, କେନ୍ଦୁଝର, ଝାରସୁଗୁଡା, ଅନୁଗୋଳ, ଭୁବନେଶ୍ବର, କଟକ ଏବଂ ଚାନ୍ଦବାଲିରେ ବର୍ଷା ହୋଇଛି। ରାଜ୍ୟରେ ବର୍ତ୍ତମାନ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ନିୟାମକ ସକ୍ରିୟ ନ ଥିବାବେଳେ ପୂର୍ବାଳି ବାୟୁ ପ୍ରଭାବରେ ରାଜ୍ୟକୁ କ୍ରମାଗତ ଜଳୀୟବାଷ୍ପ ପ୍ରବେଶ କରୁଛି। ଏହା ଉତ୍ତର-ପଶ୍ଚିମ ଦିଗରୁ ପ୍ରବେଶ କରୁଥିବା ଶୁଷ୍କ ବାୟୁ ଏବଂ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି କିଛି ଜିଲାରେ ଘଡ଼ଘଡ଼ି ସହ ବର୍ଷା ସୃଷ୍ଟି କରୁଛି। ତେବେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ପାଣିପାଗରେ ବିଶେଷ ପରିବର୍ତ୍ତନ ହୋଇ ନ ପାରେ। ବୁଧବାର ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନ ସହ କୋରାପୁଟ, ମୟୂରଭଞ୍ଜ, ଢେଙ୍କାନାଳ, ସୁନ୍ଦରଗଡ଼, ଅନୁଗୋଳ, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, କେନ୍ଦୁଝର, ମାଲକାନଗିରି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ ଆଦି ଜିଲାର କିଛି ସ୍ଥାନରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।