ସକାଳୁ ସକାଳୁ ଟ୍ଵିନସିଟିରେ ଘନ କୁହୁଡ଼ି । ଭୁବନେଶ୍ବର, ପୁରୀ, କଟକର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । କୁହୁଡି ଯୋଗୁଁ ଦେଖାଯାଉନି ରାସ୍ତାଘାଟ । ଫଳରେ ଯାତାୟାତ ବାଧାପ୍ରାପ୍ତ ହେଉଛି । ତେବେ ଶନିବାରଠାରୁ ଦିନ ଓ ରାତି ତାପମାତ୍ରା କମିବ । ରାତିରେ ପୁଣି ଶୀତ ଅନୁଭୂତ ହେବ । ପଶ୍ଚିମା ବାୟୁ ପ୍ରଭାବରେ ୩୧ ଓ ୧ ତାରିଖ ବେଳକୁ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ।
ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏଭଳି ପୂର୍ବାନୁମାନ କରିଛନ୍ତି । ଆସନ୍ତା ୪ ଦିନ ଓଡ଼ିଶା ସମେତ ପୂର୍ବ ଭାରତରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ କମିବ ଓ ଶୀତ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପୂର୍ବାନୁମାନ କରିଛି । ସେପଟେ ତାତି ପୁଣି ରେକର୍ଡ କରିଛି । କୋରାପୁଟରେ ସପ୍ତାହରେ ଦୁଇ ଥର ପାଇଁ ସର୍ବକାଳୀନ ରେକର୍ଡ ତାତି ଅନୁଭୂତ ହୋଇଛି । ଆସନ୍ତା ୨୭ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ବିଭାଗ । ସେହିପରି ୨୬ ଓ ୨୭ ତାରିଖ ପାଇଁ ସୁନ୍ଦରଗଡ଼, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।