ଆସନ୍ତା ୭ ତାରିଖରେ ଚନ୍ଦ୍ରଗ୍ରହଣ,ରାଜ୍ୟ ପାଇଁ ଅଶୁଭ ବେଳା ?

୨୦୨୫ ସେପ୍ଟେମ୍ବର ୭ ପରେ ୨୦୨୬ ମାର୍ଚ୍ଚ ୩ । ମାତ୍ର ୬ ମାସ ବ୍ୟବଧ୍ୟାନରେ ସଂଗଠିତ ହେବାକୁ ଯାଉଛି ଦୁଇ ଦୁଇଟି ଚନ୍ଦ୍ର ଗ୍ରହଣ । ଚଳିତ ଆର୍ଥିକ ବର୍ଷରେ ଦୁଇଟି ଚନ୍ଦ୍ର ଗ୍ରହଣ ପଡ଼ୁଥିବାରୁ ଦ୍ଵନ୍ଦ୍ଵ ବଢ଼ୁଥିବା ବେଳେ ଭିନ୍ନ ମତ ରଖିଛନ୍ତି ଜ୍ୟୋତିର୍ବିଦ । ଆସନ୍ତା ସେପ୍ଟେମ୍ବର ୭ ତାରିଖ ତଥା ଭାଦ୍ରବ ପୂର୍ଣ୍ଣିମାରେ ପ୍ରଥମ ଚନ୍ଦ୍ରଗ୍ରହଣ ପଡୁଥିବା ବେଳେ ଆସନ୍ତାବର୍ଷ ୨୦୨୬ ମାର୍ଚ୍ଚ ମାସରେ ଦୋଳପୂର୍ଣ୍ଣିମାନେ ଆଉ ଏକ ଚନ୍ଦ୍ରଗ୍ରହଣ ପଡୁଛି ।ଏହି ଦୁଇଟି ଯାକ ଚନ୍ଦ୍ରଗ୍ରହଣ ବଡ଼ ବଡ଼ ପର୍ବ ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ବତନ୍ତ୍ର ତିଥିରେ ପଡୁଛି। ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଜ୍ୟୋତିଷ ରାଜପଣ୍ଡିତ ଶିବନାରାୟଣ ମହାପାତ୍ର ଗଣନା କରି କହିଛନ୍ତି ଯେ ୬ ମାସ ବ୍ୟବଧାନରେ ଦୁଇ ଦୁଇଟି ଚନ୍ଦ୍ରଗ୍ରହଣ ପଡୁଥିବାରୁ ରାଜ୍ୟକୁ ଅଶୁଭ ବେଳା ରହିଛି ।ସେପଟେ ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର ନିଜସ୍ୱ ଗଣନା ଅନୁଯାୟୀ କହିଛନ୍ତି, ଏହି ଦୁଇଟି ଯାକ ଗ୍ରହଣ ପୂର୍ଣ୍ଣଗ୍ରାସ ହେଉଥିବାରୁ ଏହା ଦେଶ ପାଇଁ ଆର୍ଥିକ ସମସ୍ୟା ଠାରୁ ଆରମ୍ଭ କରି ପ୍ରାକୃତିକ ବିପର୍ଯ୍ୟୟ, ରାଜନୈତିକ ଅସ୍ଥିରତା, ଦେଶ ଦେଶ ମଧ୍ୟରେ ସମ୍ପର୍କରେ ଫାଟ, ଦରଦାମ ବୃଦ୍ଧି ଆଦି ଦେଖା ଦେବ ।ତେବେ ଚନ୍ଦ୍ର ଗ୍ରହଣ ପୁରୀରେ ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡରୁ ରାତି ୧ଟା ୨୭ ମିନିଟ ୧୭ ସେକେଣ୍ଡ ପର୍ଯ୍ୟନ୍ତ ଅର୍ଥାତ ଦୀର୍ଘ ସାଢେ ତିନିଘଣ୍ଟା ଧରି ଏହା ଅନୁଷ୍ଠିତ ହେବ।ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏକ ଅଳ୍ପ ସମୟ ମଧ୍ୟରେ ଦୁଇଟି ଚନ୍ଦ୍ରଗ୍ରହଣ ଘଟିବା ଏକ ଅସାଧାରଣ ଘଟଣା ଏବଂ ଏହା ଜଟିଳ ପରିସ୍ଥିତି ସୃଷ୍ଟି କରିଥାଏ । ଏହି ଗ୍ରହଣଗୁଡିକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ମହତ୍ତ୍ବପୂର୍ଣ୍ଣ ପର୍ବପର୍ବାଣି ସହ ସମ୍ପୃକ୍ତ ହୋଇଥିବାରୁ ଏହାର ପ୍ରଭାବ ଆହୁରି ଗୁରୁତର ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଅଧିକ ପଢନ୍ତୁ