ଆସିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଜିପିଆର- ଜିପିଏସ୍ ସର୍ଭେ ରିପୋର୍ଟ। ଶ୍ରୀମନ୍ଦିର ପ୍ରଶାସନର ଏହି ରିପୋର୍ଟ ହସ୍ତଗତ ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ। ଏଏସଆଇ ପକ୍ଷରୁ ଏହି କାର୍ଯ୍ୟ ପାଇଁ ହାଇଦ୍ରାବାଦ ସ୍ଥିତ ଏନଜିଆରଆଇ ସହାୟତା ନିଆଯାଇଥିଲା।ଏକ୍ସରେ ପୋଷ୍ଟ କରି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କହିଛନ୍ତି, ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ଏ.ଏସ୍.ଆଇ. ପକ୍ଷରୁ କରାଯାଇଥିବା ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି । ଏ.ଏସ୍.ଆଇ. ପକ୍ଷରୁ ଏହି କାର୍ଯ୍ୟ ହାଇଦ୍ରାବାଦ ସ୍ଥିତ ଏନ.ଜି.ଆର୍.ଆଇ ସହାୟତାରେ କରାଯାଇଥିଲା । ଶ୍ରୀମନ୍ଦିରର ସ୍ଥାୟିତ୍ବ ଏବଂ ସୁରକ୍ଷା ପ୍ରତି ଶ୍ରୀମନ୍ଦିର ପ୍ରଶାସନ ସର୍ବଦା ଯତ୍ନବାନ୍ ରହିଛି ।
ତେଣୁ ବୈଷୟିକ ରିପୋର୍ଟ ହସ୍ତଗତ ହୋଇସାରିଥିବାରୁ ତୁରନ୍ତ ସମଗ୍ର ରତ୍ନଭଣ୍ଡାରର ମରାମତି, ରକ୍ଷଣାବେକ୍ଷଣ ତଥା ସଂରକ୍ଷଣ କାର୍ଯ୍ଯ ହାତକୁ ନେବାକୁ ଏ.ଏସ.ଆଇ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରୁଛୁ। ଏହି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସହଯୋଗ କରିବ।ସେ ଆହୁରି କହିଛନ୍ତି, ରାଜ୍ୟ ସରକାର ଅନୁମୋଦନ କରିଥିବା ଏସ୍ଓପି ଅନୁସାରେ ଜୁଲାଇ ୧୪ ଓ ୧୮ ତାରିଖରେ ବାହାର ଓ ଭିତର ରତ୍ନଭଣ୍ଡାରୁ ସବୁ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ତା’ପରେ ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ ପାଇଁ ପୂର୍ବରୁ ହାଇଲେବୁଲ୍ କମିଟି, ମ୍ୟାନେଜିଂ କମିଟି ଓ ରାଜ୍ୟ ସରକାର ପରାମର୍ଶ ଦେଇଥିଲେ। ସେହି ସମୟରେ ଯାହା ସାଇଣ୍ଟିଫିକ୍ ଇନ୍ଭେଷ୍ଟିଗେସନ୍ କରିବା କଥା କରନ୍ତୁ ବୋଲି କୁହାଯାଇଥିଲା। ସେହି କ୍ରମରେ ଏଏସ୍ଆଇ ତରଫରୁ ସିଏସ୍ଆର ହାଇଦ୍ରାବାଦ ସ୍ଥିତ ଏନଜିଆରଆଇ ଇନ୍ଷ୍ଟିଚ୍ୟୁଟ୍ ସହାୟତା ବିଭିନ୍ନ ସର୍ଭେକ୍ଷଣ କାର୍ଯ୍ୟ କରାଯାଇଥିଲା। ସେହି ରିପୋର୍ଟ ଆଜି ହସ୍ତଗତ ହୋଇଛି। ସେହି ରିପୋର୍ଟ ଆଧାରରେ ଶ୍ରୀମନ୍ଦିର ମରାମତି ଓ ସଂରକ୍ଷଣ କାମ କରିବା ପାଇଁ ଏଏସ୍ଆଇକୁ ଅନୁରୋଧ କରିଛୁ। ମରାମତି ହୋଇସାରିବା ପରେ ଏସ୍ଓପି ଅନୁସାରେ ଗଣତିମଣତି କରାଯିବ ବୋଲି ଡକ୍ଟର ପାଢୀ କହିଛନ୍ତି।