ଆସୁଛି ଡବଲ୍ ଲଘୁଚାପ । ଗୋଟିଏ ଲୋପ୍ରେସର ୧୪ ତାରିଖରେ ଅନ୍ୟଟି ୧୯ ତାରିଖରେ ହେବା ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବାତ୍ୟା ମୋନ୍ଥା ପ୍ରଭାବରେ ବର୍ତ୍ତମାନ ପୂର୍ବକେନ୍ଦ୍ରୀୟ ଏବଂ ତତସଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ୧୨ ତାରିଖରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ପହଞ୍ଚିବ । ତେବେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ହେବ କି ନାହିଁ ତାହା ଜଣାପଡିନି । ସେପଟେ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଆସନ୍ତା ଦୁଇ ଦିନ ଯାଏ ରାଜ୍ୟରେ ତାପମାତ୍ରା ଅପରିବର୍ତ୍ତିତ ରହିବ । ପରବର୍ତ୍ତୀ ତିନି ଦିନରେ ପାରଦ ପ୍ରାୟ ୨ରୁ ୩ ଡିଗ୍ରୀ ଖସିବ । ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ବେଲ ନୋଲ୍ ଇସିଏମଡବ୍ଲୁଏଫ୍ ମଡେଲକୁ ଆଧାର କରି କହିଛନ୍ତି, ୨୦୨୬ର ଆରମ୍ଭରୁ ଲା ନିନାରୁ ଏଲ୍ନିନୋ ସ୍ଥିତିକୁ ଆସିବ । ପଶ୍ଚିମ ପ୍ରଶାନ୍ତ ମହାସାଗରର ଜଳରାଶି ହଠାତ୍ ଉତ୍ତପ୍ତ ହେବା ଯୋଗୁ ଏହା ପୂର୍ବ ଦିଗକୁ ମୁହାଁଇବା ସହ ଏଲ ନିନୋ ସ୍ଥିତି ସୃଷ୍ଟି ହେବ । ଯଦି ଏଭଳି ସ୍ଥିତି ସୃଷ୍ଟି ହେଲା ତେବେ ୨୦୨୭ରେ ବିଶ୍ୱର ତାପମାତ୍ରା ବଢ଼ିବ ବୋଲି ସେ କହିଛନ୍ତି ।
