ଆହାର କେନ୍ଦ୍ରକୁ ଜାରି ରହିବ ଗ୍ୟାସ୍‌ ଯୋଗାଣ

କୌଣସି ଆହାରକେନ୍ଦ୍ର ଗ୍ୟାସ୍‌ ଯୋଗୁଁ ବନ୍ଦ ହେବନାହିଁ । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଦେଶ ତଥା ରାଜ୍ୟରେ ରନ୍ଧନ ଗ୍ୟାସ୍‌ ଓ ପେଟ୍ରୋଲିଅମ୍‌ ଆଦିର ନିଅଣ୍ଟିଆ ସ୍ଥିତି ଦେଖାଦେଇଛି । ଏହି ସ୍ଥିତିରେ ରାଜ୍ୟରେ ଥିବା ୯୦ଟି କେନ୍ଦ୍ରୀୟ ରୋଷେଇଶାଳ ସହାୟତାରେ ଚାଲୁଥିବା ୧୭୦ଟି ଆହାରକେନ୍ଦ୍ର ଚାଲିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି ସରକାର। ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ‘ଆହାର’ ଯୋଜନାକୁ ନିରନ୍ତର ଓ ବାଧାହୀନ ଭାବେ ଚାଲୁ ରଖିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ।ସାରା ଓଡ଼ିଶାରେ ଥିବା ଆହାର ରୋଷେଇ ଶାଳଗୁଡ଼ିକ ପାଇଁ ରନ୍ଧନ ଗ୍ୟାସ ଯୋଗାଣକୁ ସରଳୀକୃତ ଏବଂ ସୁରକ୍ଷିତ କରିବାକୁ ବିଭାଗ ପକ୍ଷରୁ ବ୍ୟାପକ ନିର୍ଦ୍ଦେଶନାମା ଜାରି କରାଯାଇଛି । । ସେବା ପ୍ରଦାନରେ ଯେପରି କୌଣସି ଅନ୍ତରାୟ ସୃଷ୍ଟି ନହୁଏ, ସେଥିପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ନିଜ ନିଜ ଅଞ୍ଚଳରେ ରନ୍ଧନ ଗ୍ୟାସର ଉପଲବ୍ଧତା ସମ୍ପର୍କରେ ତୁରନ୍ତ ସମୀକ୍ଷା କରିବାକୁ ଏବଂ ଗ୍ୟାସ ଯୋଗାଣକାରୀ ଓ ବିତରକଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖାଦ୍ୟ ପ୍ରସ୍ତୁତି ଏବଂ ବଣ୍ଟନ ପ୍ରକ୍ରିୟାରେ ଯେପରି କୌଣସି ସମସ୍ୟା ନଉପୁଜେ, ସେଥିପାଇଁ ସମୟୋଚିତ ପଦକ୍ଷେପ ନେବାକୁ ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ।

ଅଧିକ ପଢନ୍ତୁ