ପ୍ରବଳ ଖରାରେ ସିଝୁଛି ଓଡ଼ିଶା। ରାଜ୍ୟରେ ଅସମ୍ଭାଳ ତାତି। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଗ୍ରୀଷ୍ମପ୍ରବାହ। ଆହୁରି ୨ଦିନ ପ୍ରବଳ ଖରା। ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିପାରେ। ବିଭିନ୍ନ ମଡେଲ୍ର ପୂର୍ବାନୁମାନ ଅନୁସାରେ ଦକ୍ଷିଣ ଚୀନ ସାଗରରେ ଥିବା ଲଘୁଚାପର ଅଂଶ ବଙ୍ଗୋପସାଗରକୁ ପଶିବ ଆସନ୍ତା ସପ୍ତାହରେ । ଏହା ପ୍ରଭାବରେ ଏପ୍ରିଲ ୩ରୁ ୫ ତାରିଖ ଭିତରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ଘନୀଭୂତ ହୋଇ ଅବପାତ ରୂପ ନେବାର କିଛି ପରିମାଣରେ ସମ୍ଭାବନା ରହିଛି। ଏପରିକି ଆଉ ଏକ ମଡେଲ୍ ଗ୍ରୀଷ୍ମ କାଳୀନ ବାତ୍ୟା ସମ୍ଭାବନା ନେଇ ମଧ୍ୟ ଆକଳନ କରିଛନ୍ତି । ମାତ୍ର ଏବେଠାରୁ ସ୍ପଷ୍ଟ ଆକଳନ ସହଜ ନୁହେଁ । ପାଣିପାଗ ବୈଜ୍ଞାନିକଙ୍କ ମତରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଯେତେ ଶକ୍ତିଶାଳୀ ହେବ, ତାହା ସେତେ ଅଧିକ ଜଳୀୟବାଷ୍ପ ଟାଣି ନେବ । ଫଳରେ ଗ୍ରୀଷ୍ମ ପ୍ରବାହ ଆହୁରି ବଢ଼ିପାରେ । ତେବେ ହିଟୱେଭ୍ ନେଇ ଆଜି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଝାରସୁଗୁଡା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ କଳାହାଣ୍ଡିକୁ ଖରା ନେଇ ଆଲର୍ଟ ହୋଇଛି। କିଛି ସ୍ଥାନରେ ୪୨ ଡିଗ୍ରୀ ଟପିପାରେ ତାପମାତ୍ରା। ଆସନ୍ତାକାଲି ପାଇଁ କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବୌଦ୍ଧ, ସମ୍ବଲଏପୁର ଓ ଝାରସୁଗୁଡାକୁ ଆଲର୍ଟ କରାଯାଇଛି। ସେହିପରି ୩୦ ତାରିଖରେ କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।