ଶୀତ ପ୍ରକୋପରେ ଥରୁଛି ସାରା ଓଡ଼ିଶା । ଶୀତ ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ । ଆହୁରି ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ହାଡ଼ ଭଙ୍ଗା ଶୀତ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡା, ଅନୁଗୋଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା ଓ ଜଗତସିଂହପୁର ଏହି ୬ ଜିଲ୍ଲାକୁ ଶୀତ ଲହରୀ ପାଇଁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବାକୁ ନେଇ ଉପକୂଳ ଓଡ଼ିଶାର ୧୩ ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।ଗୁରୁବାର ରାଉରକେଲା ଓ ଝାରସୁଗୁଡ଼ାରେ ପାରଦ ୫ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଫୁଲବାଣୀରେ ୬, ଅନୁଗୁଳ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ୭ ଡିଗ୍ରୀ ରହିପାରେ । ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ବା ଏହାଠାରୁ ସାମାନ୍ୟ ଅଧିକ ରହିପାରେ । ଶୁକ୍ରବାର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଭୀଷଣ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଦେଖାଇଛି ।
ଦେଶର ମଧ୍ୟଭାଗରେ ଗୁରୁଚାପ ବଳୟ ସକ୍ରିୟ ଅଛି । ଏଥିପାଇଁ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବଢ଼ିଛି । ଜଳୀୟବାଷ୍ପର ପରିମାଣ ବି କମିଛି । ଏହାଫଳରେ ଶୀତର ପ୍ରକୋପ ବଢ଼ିପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।
