ଭାରତ ସରକାର ଶିଶୁ ସମ୍ପର୍କିତ ଓ ଶିଶୁ ଜଡ଼ିତ ଥିବା ଅଶ୍ଳୀଳ ଭିଡିଓର ସମସ୍ତ ୱେବ୍ସାଇଟ୍କୁ ନିଷେଧ କରିଛନ୍ତି । ସୁପ୍ରିମ୍କୋର୍ଟ ଏ ବିଷୟରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଦେଶରେ ଶିଶୁ ସମ୍ପର୍କିତ ଅଶ୍ଳୀଳ ଫଟୋ ଓ ଭିଡିଓକୁ ଦେଖିବା, ଇଣ୍ଟରନେଟ୍ରୁ ଡାଉନ୍ଲୋଡ୍ କରିବା ଏପରିକି ନିଜ ଫୋନ୍ରେ ରଖିବା ମଧ୍ୟ ସଙ୍ଗିନ ଅପରାଧ ବୋଲି କହିଛନ୍ତି । ଇଣ୍ଟରନେଟ୍ରେ କିଏ ଏହାକୁ ଦେଖୁଛି, କିଏ ଭିଡିଓ ଅପ୍ଲୋଡ୍ କରୁଛି, କିଏ ଡାଉନ୍ଲୋଡ୍ କରୁଛି, କିଏ କାହାକୁ ଏଭଳି ଫଟୋ-ଭିଡିଓ ପଠାଉଛି, କେତେ ଥର ପଠାଉଛି ତାହା ଉପରେ ନଜର ରଖାଯାଉଛି । ଏ ନେଇ ସମ୍ୟକ ତଥ୍ୟ ଏନ୍ସିଆର୍ବି ପାଇବା ମାତ୍ରେ ତୁରନ୍ତ ତାହାକୁ ରାଜ୍ୟ କ୍ରାଇମ୍ବ୍ରାଞ୍ଚ୍କୁ ପଠାଉଛି । ଏହାପରେ କ୍ରାଇମ୍ବ୍ରାଞ୍ଚ୍ ସ୍ଥାନୀୟ ଜିଲ୍ଲା ଏସ୍ପିଙ୍କ କାର୍ଯ୍ୟାଳୟକୁ ଉକ୍ତ ତଥ୍ୟ ପଠାଉଛି । ଏସ୍ପିଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ସାଇବର୍ କମ୍ପେ୍ଲକ୍ସ ସହଯୋଗରେ ବିସ୍ତୃତ ବିବରଣୀ ବାହାର କରାଯାଉଛି ଯେଉଁଥିରେ ଚାଇଲ୍ଡ ପର୍ଣ୍ଣ ଦେଖିଥିବା କିମ୍ବା ଫରୱାର୍ଡ କରିଥିବା ମୋବାଇଲ୍ ବ୍ୟବହାରକାରୀଙ୍କ ଆଇପି ଆଡ୍ରେସ୍ (ଇଣ୍ଟରନେଟ୍ ପ୍ରୋଟୋକଲ୍ ବା ଇଣ୍ଟରନେଟ୍ରେ ଥିବା ଫୋନ୍ର ଠିକଣା), ମୋବାଇଲ୍ ଲୋକେସନ୍, କେଉଁ ଲୋକେସନ୍ରେ ଉକ୍ତ ଭିଡିଓ ଦେଖାଯାଇଥିଲା, କେଉଁ ଇଣ୍ଟରନେଟ୍ ବ୍ୟବହାର କରାଯାଇଥିଲା(ମୋବାଇଲ୍ ଇଣ୍ଟରନେଟ୍ ବା ୱାଇଫାଇ), ଉକ୍ତ ଭିଡିଓ ଦେଖିବା ବେଳେ ଭିପିଏନ୍ (ଭର୍ଚୁଆଲ୍ ପ୍ରାଇଭେଟ୍ ନେଟ୍ୱର୍କ) ବ୍ୟବହାର ହୋଇଥିଲା କି ନାହିଁ ସେସବୁ ତଥ୍ୟ ସଂଗ୍ରହ କରାଯାଉଛି । ଏସବୁ ତଥ୍ୟ ଆସିବା ପରେ ଯେଉଁ ଭିଡିଓଗୁଡ଼ିକ ଇଣ୍ଟରନେଟ୍ ବ୍ୟବହାର କରି ଦେଖାଯାଇଛି, ଡାଉନ୍ଲୋଡ୍ କରାଯାଇଛି କିମ୍ବା ଅପ୍ଲୋଡ୍ କରାଯାଇଛି ତାହାକୁ ମଧ୍ୟ ସଂଗ୍ରହ କରାଯାଉଛି । ଯେଉଁ ବ୍ରାଉଜର୍ ବ୍ୟବହାର ହୋଇଛି (ଗୁଗଲ୍, କ୍ରୋମ୍, ମୋଜିଲା, ଇଣ୍ଟରନେଟ୍ ଏକ୍ସପ୍ଲୋରର, ଅପରୋ) ତା’ଠାରୁ ଭିଡିଓ ସଂଗ୍ରହ ହେଉଛି । ଉକ୍ତ ଭିଡିଓ ଗୁଡ଼ିକ ବ୍ରାଉଜରର ‘କ୍ଲାଉଡ୍’ ବା ଭର୍ଚୁଆଲ୍ ଷ୍ଟୋରେଜ୍ରୁ ଅଣାଯାଉଛି । ଏହାକୁ ହିଁ ପ୍ରମାଣ ଭାବେ ପୁଲିସ ବ୍ୟବହାର କରୁଛି । ଏହି ଭିଡିଓ ପୁଲିସ ହାତରେ ଲାଗିବା ପରେ ଉକ୍ତ ମୋବାଇଲ୍ ବ୍ୟବହାରକାରୀଙ୍କ ଠିକଣା ଅନୁସାରେ ସ୍ଥାନୀୟ ଥାନାରେ ମାମଲା କରାଯାଉଛି । ଏହି ମାମଲା ଆଇଟି ଆକ୍ଟ ଓ ପୋକ୍ସୋ ଆକ୍ଟରେ ହେଉଛି ଏବଂ ଅଭିଯୁକ୍ତ ଗିରଫ ପରେ କୋର୍ଟଚାଲାଣ କରାଯାଉଛି । ଏପରିକି ଅଭିଯୁକ୍ତକୁ ଗିରଫ କରାଯିବା ପରେ ଯଦି ତା’ ଫୋନ୍ରୁ କିଛି ଭିଡିଓ ବା ବ୍ରାଉଜିଂ ହିଷ୍ଟ୍ରି ନ ମିଳୁଛି ତେବେ ପୁଲିସ ପୂର୍ବରୁ ପାଇଥିବା ବୈଷୟିକ ତଥ୍ୟ ଓ ଭିଡିଓକୁ ପ୍ରମାଣ ଆଧାରରେ କୋର୍ଟରେ ଉପସ୍ଥାପନ କରୁଛି ।
