ପକ୍ଷୀ ମାଡ଼ର ଶିକାର ହେଲା ଇଣ୍ଡିଗୋ ବିମାନ, ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ୧୮୦ ଯାତ୍ରୀଙ୍କ ଜୀବନ । ବୁଧବାର ଅପରାହ୍ନରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କୋଲକାତା ଯାଉଥିବା ଇଣ୍ଡିଗୋ ବିମାନରେ ପକ୍ଷୀ ମାଡ଼ ହୋଇଥିଲା ।ସୂଚନା ଅନୁଯାୟୀ, ବୁଧବାର ଅପରାହ୍ଣ ୪ଟା ୨୦ରେ ଇଣ୍ଡିଗୋ ବିମାନ ୬ଇ-୬୭୧୭ ବିମାନ ରନ୍ୱେରେ ଉଡ଼ାଣ ଆରମ୍ଭ କରୁକରୁ ଏକ ବଡ଼ ପକ୍ଷୀ ବିମାନର ସାମନା ଭାଗରେ ମାଡ଼ ହୋଇଥିଲା। ଏପରିକି ବିମାନର ସମ୍ମୁଖ କାଚରେ ରକ୍ତ ଛିଟା ପଡ଼ିଥିଲା। ବିମାନ ସମ୍ମୁଖ ଭାଗ ନଷ୍ଟ ହୋଇଥିବାରୁ ପାଇଲଟ୍ ବିମାନକୁ ପୁଣି ଅବତରଣ କରିବାକୁ ଏଟିସିକୁ ଅନୁମତି ମାଗିଥିଲେ। ଏଟିସି ତୁରନ୍ତ ଅନୁମତି ଦେବା ପରେ ବିମାନଟି ଅବତରଣ କରିଥିଲା ଏବଂ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଥିଲା।ଅଳ୍ପ ସମୟ ମଧ୍ୟରେ ହଠାତ୍ ବିମାନଟି ପୁଣି ଅବତରଣ କରିବାରୁ ଯାତ୍ରୀମାନେ ଭୟଭୀତ ହୋଇ ଯାଇଥିଲେ ।
