ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବେ ଜେଲ୍ରେ ଅଛନ୍ତି। ଆଦିୟାଲା ଜେଲ୍ରେ ଦିନକୁ ଦିନ ବିଗିଡିବାରେ ଲାଗିଛି ତାଙ୍କ ସ୍ବାସ୍ଥ୍ୟବସ୍ଥା। ଆଖିର ଦୃଷ୍ଟିଶକ୍ତି ବି ହରାଇବା ଉପରେ ପହଁଞ୍ଚି ଗଲେଣି। ଏହାକୁ ନେଇ କ୍ରିକେଟ ଜଗତରେ ଗମ୍ଭୀର ଚିନ୍ତା ପ୍ରକାଶ କରାଯାଇଛି। ଏପରିକି ଭାରତର ଦୁଇ ଲିଜେଣ୍ଡ କ୍ରିକେଟର ସୁନୀଲ ଗାଭାସ୍କର ଏବଂ କପିଲ ଦେବ ଇମ୍ରାନଙ୍କ ସମର୍ଥନରେ ବାହାରିଛନ୍ତି। ଇମ୍ରାନଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ପାକିସ୍ତାନ ସରକାରଙ୍କୁ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ ଇମ୍ରାନଙ୍କ ଚିକିତ୍ସା ପାଇଁ ତାଙ୍କ ପସନ୍ଦର ଡାକ୍ତର ନିଯୁକ୍ତି କରିବାକୁ ଦାବି କରାଯାଇଛି । ଚିଠିରେ କହିଛନ୍ତି, ଇମ୍ରାନ ଖାନ ଜଣେ ବିଶ୍ୱସ୍ତରୀୟ ଖେଳାଳି । ତାଙ୍କ ଅଧିନାୟକତ୍ବରେ ପାକିସ୍ତାନ ୧୯୯୨ରେ ବିଶ୍ବକପ ଜିତିଥିଲା । ତେଣୁ ତାଙ୍କୁ ଉପଯୁକ୍ତ ସମ୍ମାନ ଏବଂ ମାନବିକ ସହାୟତା ମିଳିବା ଆବଶ୍ୟକ । ଚିଠିରେ ସୁନୀଲ ଗାଭାସ୍କର, କପିଳ ଦେବଙ୍କ ସମେତ ଅଷ୍ଟ୍ରେଲିଆର ଗ୍ରେଗ୍ ଚାପେଲ୍ ଏବଂ ଷ୍ଟିଭ୍ ୱା, ଇୟାନ ଚାପେଲ, ନାସିର ହୁସୈନଙ୍କ ଭଳି ବଡ଼ ବଡ଼ କ୍ରିକେଟରଙ୍କ ସ୍ୱାକ୍ଷର ରହିଛି । ତେବେ ଚିଠି ଲେଖିଥିବା ତାଲିକାରେ ପାକିସ୍ତାନର କୌଣସି ଅଧିନାୟକଙ୍କ ନାମ ନାହିଁ ।ତେବେ ଗତ ସପ୍ତାହ ଓ୍ବାସିମ୍ ଆକ୍ରାମ,ଓ୍ବାକର ୟୁନୁସ୍ ଏବଂ ଶହିଦ ଆଫ୍ରିଦିଙ୍କ ସହ ବହୁ ପାକିସ୍ତାନୀ ପୂର୍ବତନ କ୍ରିକେଟର ଇମ୍ରାନଙ୍କୁ ଉଚିତ୍ ଚିକିତ୍ସା ଯୋଗାଇ ଦେବାକୁ ସୋସିଆଲ ମିଡିଆରେ ଅନୁରୋଧ କରିଥିଲେ।
